
ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.) - ଝାରସୁଗୁଡା ସହରସ୍ଥିତ ବିଟିଏମ କାର୍ଯ୍ୟାଳୟ ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା, ବିଶିଷ୍ଟ ରାଷ୍ଟ୍ରବାଦୀ ଚିନ୍ତକ ଓ ପ୍ରଖର ଦେଶଭକ୍ତ ଡ଼. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଛି।
ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼. ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଡ଼. ମୁଖାର୍ଜୀଙ୍କ ଅଦମ୍ୟ ଦେଶଭକ୍ତି, ଉଚ୍ଚ ଆଦର୍ଶ ଓ ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ।
ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଡ଼. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ମହାନ ଆଦର୍ଶ, ରାଷ୍ଟ୍ରପ୍ରେମ ଓ ସେବାଭାବ ଆଗାମୀ ପିଢ଼ିକୁ ଦେଶହିତରେ କାର୍ଯ୍ୟ କରିବା ପାଇଁ ସଦା ପ୍ରେରଣା ଯୋଗାଇବ। ଦେଶ ପ୍ରତି ତାଙ୍କର ସମର୍ପଣ ଚିରସ୍ମରଣୀୟ ହୋଇ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ ଭାଜପାର ବରିଷ୍ଠ ନେତୃବୃନ୍ଦ, ବିଭିନ୍ନ ପଦାଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ରହି ଡ଼. ମୁଖାର୍ଜୀଙ୍କ ସ୍ମୃତିଚାରଣ କରିବା ସହ ରାଷ୍ଟ୍ର ଗଠନରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ