ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଫୁଲବାଣୀରେ ‘ବିକାଶର ଧାରା ଓଡ଼ିଶା ସାରା’ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ମେଳା ଉଦ୍ଘାଟିତ
କନ୍ଧମାଳ, ୨୩ ଜୁନ୍ (ହି.ସ.)- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ‘ବିକାଶର ଧାରା ଓଡ଼ିଶା ସାରା’ ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ସୋମବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ବ
ଫୋଟ ୨


ଫୋଟ


କନ୍ଧମାଳ, ୨୩ ଜୁନ୍ (ହି.ସ.)- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ‘ବିକାଶର ଧାରା ଓଡ଼ିଶା ସାରା’ ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ସୋମବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ବିଭିନ୍ନ ବିଭାଗର ଉପଲବ୍ଧି, ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଜିଲ୍ଲାର ବିକାଶମୂଳକ ପଦକ୍ଷେପକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ପରେ ଅତିଥିମାନେ ପ୍ରଦର୍ଶନୀର ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ‘କନ୍ଧମାଳ ବିକାଶ’ ଶୀର୍ଷକ ପ୍ରାମାଣ୍ୟ ଚିତ୍ର ଅବଲୋକନ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ ଓ ‘ବିକାଶର ଧାରା ଓଡ଼ିଶା ସାରା’ ପ୍ରଚାର ପୁସ୍ତିକା ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ଗତ ଦୁଇ ବର୍ଷର ସଫଳତା ଉପରେ ଆଧାରିତ ପୁସ୍ତିକାକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ବିଭାଗ ପକ୍ଷରୁ ଅଙ୍ଗନୱାଡି କର୍ମୀମାନଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରାଯିବା ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା।କାର୍ଯ୍ୟକ୍ରମରେ ଜିଲ୍ଲାର ବୁଦ୍ଧିଜୀବୀମାନେ କନ୍ଧମାଳର ସାମଗ୍ରିକ ବିକାଶ ପାଇଁ ନିଜ ନିଜର ମତାମତ ଓ ପରାମର୍ଶ ରଖିଥିଲେ। ଏହାସହ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ନିଜ ବକ୍ତବ୍ୟରେ ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକୁ ମିଶନ ମୋଡ୍ ରେ ରୂପାୟନ କରି ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଆବଶ୍ୟକ। ବିଧାୟକ ଉମାଚରଣ ମଲ୍ଲିକ ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ପ୍ରଶଂସା କରିବା ସହ ସେଗୁଡ଼ିକର ସଫଳ ଓ ସ୍ୱଚ୍ଛ ରୂପାୟନ ପାଇଁ ପ୍ରଶାସନିକ ସ୍ତରରେ ଅଧିକ ତତ୍ପରତା ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଗତ ଦୁଇ ବର୍ଷ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭିତ୍ତିଭୂମି ବିକାଶ, ଜନକଲ୍ୟାଣ ଯୋଜନାର ଅଗ୍ରଗତି ଓ ସଫଳତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଦର୍ଶନୀରେ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଏଥିରେ ସରକାରୀ ଯୋଜନା, ବିଭାଗୀୟ ଉପଲବ୍ଧି ଏବଂ ଜିଲ୍ଲାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କିତ ସୂଚନା ପ୍ରଦର୍ଶିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande