
ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.) - କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମଙ୍ଗଳବାର ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାସିଂହା ପଂଚାୟତରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ ସେଗୁଡ଼ିକର ସଫଳତା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ସରପଂଚ ସୁରଭି ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ପ୍ରତିନିଧି ଅରୁଣ କୁମାର ବେହେରା ଏବଂ ସାଂସଦ ପ୍ରତିନିଧି ସଞ୍ଜୟ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ଓ ତାହାର ସୁଫଳ ବିଷୟରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ ରାଜେଶ ରୋଶନ ଗୁଡ଼ିଆ, ସହାୟକ ଯନ୍ତ୍ରୀ ରୀନା ମହାନନ୍ଦ ଏବଂ ଏପିଓ ଦେବଙ୍କର ଦେବନାଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀମାନଙ୍କୁ କାର୍ଡ ବଂଟନ କରାଯିବା ସହ ସୁଭଦ୍ରା ଶକ୍ତି ସମାବେଶ ଆୟୋଜିତ ହୋଇଥିଲା। ସେହିପରି ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମୋବାଇଲ ଫୋନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।
ପଂଚାୟତ ନିର୍ବାହୀ ଅଧିକାରୀ ତରଣିସେନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାସିଂହା ପଂଚାୟତର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ସମସ୍ତ ୱାର୍ଡ ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ