ବିରଂଚି ମେହେର ଆକ୍ରମଣ ଘଟଣା: ବିଜେଡିର ଅଭିଯୋଗକୁ ଖଣ୍ଡନ କଲା ବିଜେପି
Bjp deny bjd s allegations
Bjp deny


ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.) - ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରାକୁଟା ଗ୍ରାମର ବିଜେଡି କର୍ମୀ ତଥା ସମାଜସେବୀ ବିରଂଚି ମେହେରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଜିଲ୍ଲାର ରାଜନୈତିକ ପରିବେଶ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଶାସକ ଦଳ ବିରୋଧରେ ଆଣିଥିବା ଅଭିଯୋଗକୁ ବିଜେପି ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି।

ସୋମବାର ସରବାହାଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୀପାଳି ଦାସ ଆକ୍ରମଣ ଘଟଣାରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକଙ୍କ ସମ୍ପୃକ୍ତି ଥିବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ। ସେ ଘଟଣାର ନିରପେକ୍ଷ ଓ ଗଭୀର ତଦନ୍ତ ଦାବି କରିଥିଲେ।

ଏହାର ପ୍ରତିକ୍ରିୟାରେ ବିଟିଏମ୍ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟ୍ରେ ବିଜେପି ଯୁବନେତା ତଥା ଆଇନଜୀବୀ ରାମହରି ପୂଜାରୀ ଏବଂ ଗଙ୍ଗାଧର କଂଟାର ବିଜେଡିର ଅଭିଯୋଗକୁ ଭିତିହୀନ ଓ ମନଗଢ଼ା ବୋଲି ଦାବି କରିଥିଲେ। ଶ୍ରୀ ପୂଜାରୀ କହିଥିଲେ ଯେ, ଦୀପାଳି ଦାସଙ୍କ ନାମରେ ମଧ୍ୟ ଅନେକ ମାମଲା ରହିଥିବାବେଳେ ସେ ଅନ୍ୟଙ୍କ ବିରୋଧରେ ଅଭିଯୋଗ ଆଣିବା ଉଚିତ ନୁହେଁ।

ପ୍ରେସମିଟ୍ରେ ବିଜେପି ପକ୍ଷରୁ ବିଜେଡି ସରକାର ସମୟରେ ଘଟିଥିବା ବିଭିନ୍ନ ବିବାଦୀୟ ଘଟଣାର ଉଲ୍ଲେଖ କରାଯାଇଥିଲା। ବୁରୋମାଲ ଅଂଚଳରେ ନିର୍ବାଚନ ସମୟରେ ଘଟିଥିବା ହିଂସା, ଜଣେ ବିଜେପି ମହିଳା କର୍ମୀଙ୍କ ଅଭିଯୋଗର ତଦନ୍ତ ନ ହେବା, ଏବଂ ବିଭିନ୍ନ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇଥିବା ନେଇ ବିଜେପି ପ୍ରଶ୍ନ ଉଠାଇଥିଲା।

ସେହିପରି ଉପ-ନିର୍ବାଚନ ସମୟରେ ବର୍ତମାନର ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନିର୍ବାଚନୀ ସଭା କରିବାକୁ ବାଧା ଦିଆଯିବା ଏବଂ ତାଙ୍କ ଗାଡ଼ି ଉପରେ ପଥରମାଡ଼ ହୋଇଥିବା ଘଟଣାକୁ ମଧ୍ୟ ବିଜେପି ଉଠାଇଥିଲା। ବିଜେପି ନେତାମାନେ ଦାବି କରିଥିଲେ ଯେ, ବର୍ତମାନ ସରକାରରେ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉଛି, ଯେଉଁଠାରେ ପୂର୍ବ ସରକାର ଅମଳରେ ଅନେକ ଘଟଣାରେ ମାମଲା ରୁଜୁ କରିବାରେ ମଧ୍ୟ ଅବହେଳା କରାଯାଉଥିଲା।

ବିରଂଚି ମେହେର ଆକ୍ରମଣ ଘଟଣାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ, ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ନିରପେକ୍ଷ ତଦନ୍ତ ଦାବି ଜୋର ଧରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande