

ସମ୍ବଲପୁର, ୨୩ ଜୁନ୍ (ହି.ସ.)-ଓଡ଼ିଶା ସରକାରଙ୍କ ଶ୍ରମ ଓ ସଂସ୍ଥାନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ମିଳିତ ସହଯୋଗରେ ଆଜି ସମ୍ବଲପୁରଠାରେ ଶିଶୁ ଓ କିଶୋର ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ଓରିଏଣ୍ଟେସନ ଓ ସଚେତନତା କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆୟୋଗ ସଦସ୍ୟା ଚନ୍ଦନା ଦାସ, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଶତ୍ରୁଜିତ ସାହୁ, ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଜଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି ଯେ, ଶିଶୁ ଶ୍ରମ ପ୍ରଥା ସମାଜ ପାଇଁ ଏକ କଳଙ୍କ ଏବଂ ଏହା ଶିଶୁମାନଙ୍କର ଭବିଷ୍ୟତ ତଥା ବିକାଶର ଧାରାକୁ ବାଧାପ୍ରାପ୍ତ କରୁଛି। ରାଜ୍ୟ ସରକାରଙ୍କ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଅଭିଯାନକୁ ସଫଳ କରିବାକୁ ହେଲେ ପ୍ରଥମେ ସମ୍ବଲପୁରକୁ ଶିଶୁ ଶ୍ରମ ମୁକ୍ତ ଜିଲ୍ଲା ଭାବେ ଗଢ଼ିବା ତୋଳିବାକୁ ହେବ। ସ୍ଥାନୀୟ ଅଞ୍ଚଳର ହୋଟେଲ, ଢାବା, ଗ୍ୟାରେଜ୍ ଏବଂ ବିଭିନ୍ନ କାରଖାନାରେ ଶିଶୁମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଶ୍ରମିକ ଭାବେ ନିୟୋଜିତ କରାଯାଉଥିବାରୁ, ଏହା ବିରୁଦ୍ଧରେ ପୋଲିସ, ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ରେସକ୍ୟୁ (ଉଦ୍ଧାର) ଟିମ୍ ସକ୍ରିୟ ଭାବେ କାର୍ଯ୍ୟ କରିବା ଆବଶ୍ୟକ।
ଶିଶୁମାନଙ୍କ ମୌଳିକ ଅଧିକାର ଓ ଶିକ୍ଷା ଉପରେ ବିଶେଷ ଜୋର୍ ଦେଇ ପୁଣି କହିଛନ୍ତି ଯେ, ଶିକ୍ଷା ହିଁ ଶିଶୁ ଶ୍ରମ ରୋକିବାର ସବୁଠାରୁ ବଡ଼ ଅସ୍ତ୍ର। ବିଦ୍ୟାଳୟ ପରିଚାଳନା କମିଟି ଏବଂ ଶିକ୍ଷା ବିଭାଗ ସଜାଗ ରହିବା ଉଚିତ, ଯେପରି କୌଣସି ପିଲା ସ୍କୁଲ୍ ରୁ ବାଦ୍ ନପଡ଼ନ୍ତି। ଏହା ସହିତ ଉଦ୍ଧାର ହେଉଥିବା ପିଲାମାନଙ୍କର ଉପଯୁକ୍ତ କାଉନ୍ସେଲିଂ, ମେଡିକାଲ୍ ଟେଷ୍ଟ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବୈଷୟିକ ଶିକ୍ଷା, ଆଇଟିଆଇ, ହୋଟେଲ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ତାଲିମ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କରୋନା ସମୟରେ ଅନାଥ ହୋଇଥିବା ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ 'ମିଶନ ବାତ୍ସଲ୍ୟ' ଯୋଜନାର ସଠିକ୍ ଯାଞ୍ଚ କରି ସେହି ସଂକଟାପନ୍ନ ପରିବାରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଗରିବ ମାଆମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଗଲେ ଏବଂ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଧାର କାର୍ଡ ତଥା ଅନ୍ୟ ସରକାରୀ ଯୋଜନାରେ ସାମିଲ କଲେ ଶିଶୁ ଶ୍ରମ ପ୍ରଥାକୁ ମୂଳପୋଛ କରାଯାଇପାରିବ।
ରାଜ୍ୟର ଅଗ୍ରଣୀ କାର୍ଯ୍ୟକ୍ରମ 'ଆଦଭିକା' ର ସଫଳ ରୂପାୟନ ଉପରେ ଆଲୋଚନା କରି ସେ କହିଛନ୍ତି ଯେ କେବଳ କିଶୋରୀ ନୁହେଁ, ବରଂ କିଶୋର ମାନଙ୍କୁ ମଧ୍ୟ ଏହି ସେସନରେ ସାମିଲ କରାଯିବା ଉଚିତ। ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆର ଅପବ୍ୟବହାର ଯୋଗୁଁ ଘଟୁଥିବା ଅନ୍ଲାଇନ୍ ସାଇବର ଅପରାଧ, ପ୍ରେଗ୍ନାନ୍ସି ସମସ୍ୟା, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି ଭଳି ସଂବେଦନଶୀଳ ପ୍ରସଙ୍ଗରେ କିଶୋର-କିଶୋରୀମାନଙ୍କୁ ସଚେତନ କରିବା ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରାଯିବାର ଆବଶ୍ୟକତା ରହିଛି।
କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ବୋନ୍ଦର ଶିଶୁ ସୁରକ୍ଷା ଆଇନର କଡ଼ାକଡ଼ି ଅନୁପାଳନ ଏବଂ ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ ଏକ ଶିଶୁ ଅନୁକୂଳ ସମ୍ବଲପୁର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ରିସୋର୍ସ ପର୍ସନ ସରୋଜ କୁମାର ବାରିକ ଶିଶୁ ଶ୍ରମ ନିଷେଧ ଆଇନ, ୧୯୮୬ ଏବଂ ଏନସିଏଲପି ସ୍ପେଶାଲ ଟ୍ରେନିଂ ସେଣ୍ଟରର କାର୍ଯ୍ୟକାରିତା ଉପରେ ବୈଷୟିକ ଉପସ୍ଥାପନା ରଖିଥିଲେ। ଶେଷରେ ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସିଡବ୍ଲ୍ୟୁସି, ଡିସିପିୟୁ, ଚାଇଲ୍ଡ ହେଲ୍ପଲାଇନ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ