


ନରସିଂହ ବିନା ରେଡିଓରୋଲିଷ୍ଟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା
ଅଲଟ୍ରାସାଉଣ୍ଡ କରିବା ପାଇଁ ବିବିଏମ୍ସିଏଚ୍ ଉପରେ ଭରସା ସିଏଚ୍ସିଗୁଡ଼ିକରେ ନାହାନ୍ତି ବିଶେଷଜ୍ଞ ଡାକ୍ତର
ବଲାଙ୍ଗୀର, ୨୩ ଜୁନ୍(ହି.ସ.) – ନୂଆ ସରକାରଙ୍କ ଠାରୁ ଲୋକଙ୍କର ବହୁତ ଆଶା ଥିଲା। ବିଶେଷ କରି ନୂଆ ତିଆରି ହୋଇଥିବା ମେଡ଼ିକାଲ କଲେଜ ଓ ସଦର ମହକୁମାରେ ଥିବା ଜିଲ୍ଲା ସଦର ଡାକ୍ତରଖାନା ଏବଂ ତା’ସହ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୋଷ୍ଠୀ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ଥିବା ଡାକ୍ତର ଓ କର୍ମଚାରୀ ଅଭାବକୁ ଏହି ସରକାର ଗୁରୁତ୍ୱ ସହିତ ନେଇ ଏ ଅଭାବକୁ ପୁରଣ କରିବ। ତା’ଉପରେ ପୁଣି ଆମ ଜିଲ୍ଲାରୁ ଆମେ ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବାରୁ ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇବା ଦିଗରେ ଅନେକ ଆଶାବାଦୀ ହୋଇଯାଇଥିଲେ। କିନ୍ତୁ ଦୁଃଖର କଥା ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଡାକ୍ତରଙ୍କ ଘୋର ଅଭାବ ଦେଖାଦେଇଛି। ନୂଆ ସରକାର ଦୁଇବର୍ଷ ହେଲାଣି ଏହି ଡାକ୍ତର ପଦବୀଗୁଡ଼ିକୁ ଆଉ କେବେ ପୁରଣ କରିବେ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆଜି ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ପରିଦର୍ଶନରେ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିନା ନର୍ସିଂ ଷ୍ଟାଫ୍ରେ ଲୋକେ କେମିତି ଚିକିତ୍ସା ପାଇବେ। ସମଗ୍ର ଜିଲ୍ଲାର ଚିକିତ୍ସା, ଅଣଚିକିତ୍ସା କର୍ମଚାରୀଙ୍କ ସ୍ଥିତି ଦେଖିଲେ ଅଧାରୁ ଅଧିକ ପଦବୀ ଖାଲିପଡ଼ିଛି। ଲୋକେ ବାରମ୍ବାର ଦାବି କଲେ ବି ଆମ ଜିଲ୍ଲାର ସ୍ୱାସ୍ଥ୍ୟ ମନ୍ତ୍ରୀ କାହିଁକି ଚୁପ୍ ପଡ଼ିଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ଆଜି ପରିଦର୍ଶନବେଳେ ଡାକ୍ତରଖାନାର ସ୍ୱଚ୍ଛତାକୁ ଦେଖି ଶ୍ରୀ ମିଶ୍ର କିଛିଟା ଆଶ୍ୱସ୍ତି ପ୍ରକାଶ କରିଥିଲେ। ତା’ସହ ହସ୍ପିଟାଲରେ ରେଡିଓଗ୍ରାଫର ନଥିବା ଯୋଗୁଁ ଦୂର ଦୂରାନ୍ତରୁ ଆସି ଭର୍ତି ହୋଇଥିବା ରୋଗୀମାନେ ଅଲଟ୍ରାସାଉଣ୍ଡ କରିବା ପାଇଁ ବହୁତ ଅସୁବିଧା ଭୋଗିବା ବହୁତ ଦୁଃଖଦାୟକ ବୋଲି କହିଥିଲେ। ମେଡିସିନ, ସର୍ଜରୀ, ସ୍ତ୍ରୀ ଓ ପ୍ରସୁତି, ଶିଶୁ ରୋଗ ଏବଂ ଯକ୍ଷ୍ମା ରୋଗ ବିଭାଗରେ, ଇନ୍ଡୋର ରୋଗୀଙ୍କ ହାରାହାରି ଭର୍ତିହାର ଦେଖିଲେ ପ୍ରାୟତଃ ଶତପ୍ରତିଶତ ରହିଛି କିନ୍ତୁ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍ଙ୍କ ବିନା ରୋଗୀ କିଭଳିଆ ସ୍ୱାସ୍ଥ୍ୟ ସେବା ପାଉଛି ସେ ଉପରେ ଶ୍ରୀ ମିଶ୍ର ଆଶଙ୍କା ପ୍ରକାଶ କରିଥିଲେ। ଜିଲ୍ଲାରେ ଥିବା ଦେଓଗାଁ, ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାଟଣାଗଡ଼, ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ମଧ୍ୟ ଷ୍ଟାଫ୍ ପୋଜିସନ ଅତି ଦୟନୀୟ ଥିବା ଆଲୋଚନାବେଳେ ଜଣାପଡ଼ିଥିଲା। ଏହି ଡାକ୍ତର କର୍ମଚାରୀ ଅଭାବ ଶୀଘ୍ର ପୁରଣ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି। ଆଜିର ଏହି ପରିଦର୍ଶନ ସମୟରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର, ଏଡିଏମ୍ଓ ଡା. ଲଳିତ ମୋହନ ବିଶି, ଡା. ପୁଷ୍ପରଞ୍ଜନ ମିଶ୍ର, ଡିପିଏମ୍ ରାଜେଶ୍ୱର ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର ବନ୍ଦନା ପ୍ରଧାନ ହସପିଟାଲର ଷ୍ଟାଫ୍ ପୋଜିସନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ଏବଂ ସୁବିଧା ପ୍ରଦାନକୁ ନେଇ ଶ୍ରୀ ମିଶ୍ରଙ୍କୁ ଅବଗତ କରିଥିଲେ ପରେ ଶ୍ରୀ ମିଶ୍ର ମେଡିସିନ ୱାର୍ଡ଼ ଯାଇ ରୋଗୀମାନଙ୍କ ଠାରୁ ଚିକିତ୍ସା ସମ୍ବନ୍ଧରେ ମତାମତ ନେବାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ। ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଔଷଧ ଠିକ୍ ଠିକ୍ ମିଳୁଛି କି ନାହିଁ ଶ୍ରୀ ମିଶ୍ର ପଚାରି ବୁଝିଥିଲେ। ଆଜିର ଏହି ଆଲୋଚନା ଏବଂ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ମନୀଷ ମିଶ୍ର, ବୁଲୁ ଦାନୀ, ଅସୀତ ମିଶ୍ର, କୈଳାସ ମିଶ୍ର, ସାନନ୍ଦ ମିଶ୍ର, ଲୋପନ ମିଶ୍ର, ଆରତିପ୍ରୀତି ନାଗ, ବିଧୁ କୁମାର, ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ