
ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.) - ଝାରସୁଗୁଡ଼ା ସହରରେ ମଙ୍ଗଳବାର ସକାଳେ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍ ଏସୋସିଏସନର ପୂର୍ବତନ ସଭାପତି, ବରିଷ୍ଠ ଆଇନଜୀବୀ ଓ ବିଜେଡିର ସକ୍ରିୟ ନେତା ତ୍ରିନାଥ ଗୁଆଳଙ୍କ କ୍ଷତବିକ୍ଷତ ମୃତଦେହ ବାଲିଜୁରି ଅଂଚଳ ସ୍ଥିତ ରେଳଧାରଣା ନିକଟରୁ ଉଦ୍ଧାର ହୋଇଛି। ଘଟଣା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବାବେଳେ ମୃତ୍ୟୁର କାରଣକୁ ନେଇ ନାନା ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ ଏହି ଅଘଟଣ ଘଟିଥିଲା। ଖବର ପାଇ ଝାରସୁଗୁଡ଼ା ଏସପି ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ରଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ, ବିମାନବନ୍ଦର ଥାନା ପୁଲିସ ଓ ଜିଆରପି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ।
ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ସେଥିରେ “ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି” ବୋଲି ଉଲ୍ଲେଖ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରେଳବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ରାଉରକେଲା–କୋରାପୁଟ ଏକ୍ସପ୍ରେସ୍ (୧୮୧୦୮) ଝାରସୁଗୁଡ଼ା ଅତିକ୍ରମ କରୁଥିବା ବେଳେ ତ୍ରିନାଥ ଗୁଆଳ ହଠାତ୍ ରେଳଧାରଣା ଆଗକୁ ଡେଇଁ ପଡ଼ିଥିବା ନେଇ ଲୋକୋ ପାଇଲଟ୍ ରଥ ସାଗର ଏକ ମେମୋ ଜରିଆରେ ରେଳ କର୍ତୃପକ୍ଷଙ୍କୁ ଜଣାଇଛନ୍ତି।
ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ତ୍ରିନାଥ ଗୁଆଳଙ୍କ ପୁତୁରା ଯଦୁମଣି ଗୁଆଳ ଦାବି କରିଛନ୍ତି ଯେ, ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ତାଙ୍କ କହିବା ଅନୁଯାୟୀ, ତ୍ରିନାଥ ଗୁଆଳ ମାନସିକ ଭାବେ ଦୃଢ଼ ବ୍ୟକ୍ତିତ୍ୱର ଥିଲେ। ସମ୍ପ୍ରତି ଜମି ସମ୍ବନ୍ଧୀୟ ଏକ ବିବାଦକୁ ନେଇ ସେ ଚିନ୍ତିତ ଥିବା ସତ୍ୱେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବେ ନାହିଁ ବୋଲି ପରିବାରର ଦାବି। ତେଣୁ କେହି ତାଙ୍କୁ ହତ୍ୟା କରି ରେଳଧାରଣା ଉପରେ ଫିଙ୍ଗି ଦେଇଥାଇପାରନ୍ତି ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି।
ପୁଲିସ ଏକ ୟୁଡି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ତ୍ରିନାଥ ଗୁଆଳଙ୍କ ଦେହାନ୍ତରେ ଜିଲ୍ଲାର ରାଜନୈତିକ, ସାମାଜିକ ଓ ଆଇନଜୀବୀ ମହଳରେ ଶୋକର ଲହରୀ ଖେଳିଯାଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ପୂର୍ବତନ ବିଧାୟିକା ଦୀପାଳୀ ଦାସ ପ୍ରମୁଖ ଶେଷ ଦର୍ଶନ କରି ଶୋକବ୍ୟକ୍ତ କରିଥିଲେ। ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନର ନେତୃବୃନ୍ଦ ପରିବାରକୁ ସମବେଦନା ଜଣାଇଛନ୍ତି। ପରେ ମୃତଦେହକୁ ଝାରସୁଗୁଡ଼ା ଅଦାଲତ ପରିସରକୁ ନିଆଯାଇଥିଲା। ସେଠାରେ ବହୁ ସଂଖ୍ୟକ ଆଇନଜୀବୀ, ରାଜନେତା, ସମାଜସେବୀ ଓ ସାଧାରଣ ଲୋକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରବର୍ତୀ ସମୟରେ ତାଙ୍କ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଝାରସୁଗୁଡ଼ା ଜିଲ୍ଲାର ଜଣେ ପରିଚିତ ଆଇନଜୀବୀ ଓ ସାମାଜିକ ବ୍ୟକ୍ତିତ୍ୱ ଭାବେ ପରିଚିତ ତ୍ରିନାଥ ଗୁଆଳ ବାର୍ ଏସୋସିଏସନର ସଭାପତି ଥିବା ସହ ବିଜେଡିର ବିଭିନ୍ନ ସାଂଗଠନିକ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ପୁଲିସ ତଦନ୍ତ ଓ ଫରେନସିକ୍ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ