
ବଲାଙ୍ଗିର, 23 ଜୁନ୍ (ହି.ସ.) ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପରିଦର୍ଶନ କରିଥିଲେ। ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପର୍ଶୁରାମ ହାଇସ୍କୁଲ,କୁଡାସିଂହା, ସଚ୍ଚିଦାନନ୍ଦ ହାଇସ୍କୁଲ, ଭୁତିଆରବାହାଲ ଓ ପଞ୍ଚାୟତି ହାଇସ୍କୁଲ,ମୁରିବାହାଲ କୁ ପରିଦର୍ଶନ କରି ବିଦ୍ୟାଳୟ ଗୁଡିକର ଶିକ୍ଷାଦାନ ବ୍ୟବସ୍ଥା,ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପରୀକ୍ଷା ଫଳାଫଳ ଓ ବିଭିନ୍ନ ଭିତ୍ତିଭୂମି ସୁବିଧାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ଶ୍ରେଣୀଗୃହ ବୁଲି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ପାଠ ପଢ଼ାର ମାନ ଯାଞ୍ଚ କରିଥିଲେ।ବିଦ୍ୟାଳୟ ର ପରିମଳ ବ୍ୟବସ୍ଥା,ପାନୀୟ ଜଳ, ଗ୍ରନ୍ଥାଗାର,ବିଜ୍ଞାନ ପ୍ରୟୋଗଶାଳା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତଦାରଖ କରିଥିଲେ।ଶିକ୍ଷକ ମାନଙ୍କ ସହ ଆଲୋଚନା ବେଳେ ଡିଇଓ ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷଣ ଦକ୍ଷତା ବୃଦ୍ଧି,ନିୟମିତ ଶ୍ରେଣୀ ଶିକ୍ଷାଦାନ ଓ ଶତପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।ପରିଦର୍ଶନ ସମୟରେ ପର୍ଶୁରାମ ହାଇସ୍କୁଲ କୁଡାସିଂହା ର ପ୍ରଧାନ ଶିକ୍ଷକ ଦିଲୀପ ବେହେରା, ଭୁତିଆରବାହାଲ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସିକତା ପଟେଲ ଓ ପଞ୍ଚାୟତି ହାଇସ୍କୁଲ, ମୁରିବାହାଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଦ୍ୟାଳୟ ର ଶୈକ୍ଷିକ କାର୍ଯ୍ୟକଳାପ,ପରୀକ୍ଷା ଫଳାଫଳ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ।ମୁରିବାହାଲ ହାଇସ୍କୁଲ ପରିଦର୍ଶନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ମଧ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ