ବୃଦ୍ଧା ମାଆ ଭରସାରେ ଭେଣ୍ଡିଆ ପୁଅ, ଆହା କରିବାକୁ କେହି ନାହାନ୍ତି
ନୂଆପଡ଼ା, ୨୩ ଜୁନ (ହି.ସ.)- ଦିନେ ସେ ଟ୍ରାକ୍ଟର ଚଲାଇ ପରିବାର ଚଳାଉଥିଲେ, କିନ୍ତୁ ଜାଣି ନଥିଲେ ଦିନେ ସେ ପରିବାରର ବୋଝ ପାଲଟି ଯିବେ। ସୁଖର ସପନ ଦେଖୁ ଦେଖୁ ଭାଗ୍ୟ ଏମିତି ଏକ ଦୋ ଛକିରେ ଆଣି ରଖିଦେବ ସେ ଜାଣି ପାରି ନଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ଜଗତରାମ ନାଗ। ବୟସ ୩୭
Bruddha maa bhasarare bhendia


ନୂଆପଡ଼ା, ୨୩ ଜୁନ (ହି.ସ.)- ଦିନେ ସେ ଟ୍ରାକ୍ଟର ଚଲାଇ ପରିବାର ଚଳାଉଥିଲେ, କିନ୍ତୁ ଜାଣି ନଥିଲେ ଦିନେ ସେ ପରିବାରର ବୋଝ ପାଲଟି ଯିବେ। ସୁଖର ସପନ ଦେଖୁ ଦେଖୁ ଭାଗ୍ୟ ଏମିତି ଏକ ଦୋ ଛକିରେ ଆଣି ରଖିଦେବ ସେ ଜାଣି ପାରି ନଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ଜଗତରାମ ନାଗ। ବୟସ ୩୭ ବର୍ଷ। ତାଙ୍କରି ଦୁଃଖ କହିଲେ ନସରେ। ପାଞ୍ଚ ବର୍ଷ ହେଲା ଶଯ୍ୟାଶାୟୀ ଜଗତଙ୍କ ପାଇଁ ଏକମାତ୍ର ସାହା ଭରଷା ସତୁରି ବର୍ଷୀୟା ବୃଦ୍ଧା ମାଆ। ତାଙ୍କରି ଭରସାରେ ଜୀବନ ଜିଇଁବାକୁ ପଡୁଛି। ଜଗତ ଆଗରୁ ଟ୍ରାକ୍ଟର ଡ୍ରାଇଭର ଥିଲେ ଓ ବାପା ମାଆଙ୍କୁ ପୋଷୁଥିଲେ। କିନ୍ତୁ ଦଇବ ଦାଉ ସାଜିଲା। ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖ, ସେଦିନ ଥିଲା ହୋଲି। ଜଗତ ଟ୍ରାକ୍ଟର ନେଇ ଶ୍ରମିକ ମାନଙ୍କ ସହ ମାଟି ଆଣିବାକୁ ଯାଇଥିଲେ। ଶ୍ରମିକ ମାନେ ମାଟି ହାଣୁଥିବା ବେଳେ ହଠାତ୍ ମାଟି ଅତଡା ତାଙ୍କ ଉପରେ ପଡ଼ି ଯାଇଥିଲା। ସେ ଗୁରୁତର ଆହତ ହେବା ସହ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ପ୍ରଥମେ ଖଡ଼ିଆଳ ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ଡାକ୍ତର ତାଙ୍କୁ ବୁର୍ଲା ରେଫର କରି ଦେଇଥିଲେ। ବୁର୍ଲା ଠାରେ ଉନ୍ନତ ଚିକିତ୍ସା ସୁବିଧା ହୋଇ ନ ପାରିବାରୁ ତାଙ୍କୁ ରାୟପୁର ସ୍ଥିତ ରାମକୃଷ୍ଣ କେୟାର ହସ୍ପିଟାଲ ନିଆଗଲା। ସେଠାରେ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର କରାଗଲା। ବିଜୁ ସ୍ବାସ୍ଥ୍ୟ କାର୍ଡ ସହ ଘର ତିଆରି ପାଇଁ ରଖିଥିବା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଗଲା। ସେଠାରୁ ଆସିଲା ପରେ ଘରେ ଶଯ୍ୟାଶାୟୀ ହୋଇ ପଡ଼ି ରହିଲେ। ବୃଦ୍ଧ ବାପା ମାଆ ତାଙ୍କୁ ଯତ୍ନ ନେବାକୁ ଲାଗିଲେ। ଜଗତ ଖଟରୁ ଉଠି ପାରନ୍ତି ନାହିଁ। ତେଣୁ ସେଠାରେ ସ୍ନାନ, ଶୌଚ, ଖାଇବା ପିଇବା କରନ୍ତି। ଏତିକିରେ ଦୁଃଖର ଅନ୍ତ ହେଲା ନାହିଁ। ଦୁଇ ବର୍ଷ ତଳେ ପେଟ ରୋଗରେ ପଡି ବାପା ଯୁଗେ ନାଗ ଆର ପାରି କି ଚାଲି ଯାଇଛନ୍ତି। ଏବେ ଦୁଇ ପଇସା ଉପାର୍ଜନ କରିବା ପାଇଁ କେହି ନାହିଁ। ମାଆ ପୁଅଙ୍କ ମାସିକ ଭତ୍ତା ଓ ୩୫ କିଲୋଗ୍ରାମ ଚାଉଳ ହିଁ ସେମାନଙ୍କ ବଞ୍ଚିବାର ଭରସା। ଜଗତଙ୍କ ଔଷଧ ପାଇଁ ସପ୍ତାହକୁ ତିନି ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଟଙ୍କା ନ ଥିବାରୁ ଔଷଧ ଖାଇବା ବନ୍ଦ କରି ଦେଇଛନ୍ତି। ଜଗତ ଓ ତାଙ୍କ ମାଆ ପଲିଥିନ ଘରେ ରହି ଆସୁଥିଲେ। ଘରେ କବାଟ ନଥିବା ବେଳେ ଉପରେ ପଲିଥିନ ଢ଼ଙ୍କା ହୋଇଛି। ନିଜ ଘର ନଥିବାରୁ ବାପା ମାଆଙ୍କ ସହ ଆଗେ ଲୋକଙ୍କ ଘରେ ରହୁଥିଲେ। ୨୦୦୮ ରେ ଘର ଖଣ୍ଡେ ଆରମ୍ଭ କରିଥିଲେ ମଧ୍ୟ କାମ ଆଗେଇ ପାରି ନଥିଲା। ବାପା ମାଆ ଓ ଜଗତ ପରିଶ୍ରମ କରି ଧିରେ ଧିରେ ତିନି ଲକ୍ଷ ଟଙ୍କା ସଞ୍ଚୟ କଲେ। ଆଶା ଥିଲା ଏଥର ଘର ତୋଳା ହୋଇଯିବ। କିନ୍ତୁ ଜଗତଙ୍କ ଦୁର୍ଘଟଣା ପରେ ଚିକିତ୍ସା ଓ ଔଷଧ ଖର୍ଚ୍ଚରେ ସବୁ ସରିଗଲା। ବାଧ୍ୟ ହୋଇ ଅଧା ତିଆରି ଘରେ ଜରି ପଲିଥିନ ଢାଙ୍କି ଦୁଇ ବର୍ଷ ହେଲା ରହୁଛନ୍ତି। ସରକାରଙ୍କ ଆବାସ ଯୋଜନା ସେମାନଙ୍କ ପାଇଁ ସାତ ସପନ। ଜଗତଙ୍କ ଚିକିତ୍ସା ସହ ଘର ଖଣ୍ଡେ ପାଇଁ ସମସ୍ତେ ଦାବି କରିଛନ୍ତି।

ଏନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା କେନ୍ଦ୍ରର ମେଡିକାଲ ଇନ୍ ଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏକ ଟିମ୍ ପଠାଇ ତାଙ୍କ ସ୍ବାସ୍ଥ୍ୟବସ୍ଥାର ତଦନ୍ତ କରିବେ ଓ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି କହିଛନ୍ତି। ଏନେଇ ଆମେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କୁ ଭେଟିବାରୁ ତାଙ୍କୁ ଆର୍ଥିକ ସହଯୋଗ ସହ ଦ୍ଵିତୀୟ ପର୍ଯ୍ୟାୟରେ ଘର ଆସିଲେ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande