ହଜିଥିବା ୫୫ ମୋବାଇଲ୍ ଖୋଜି ମାଲିକଙ୍କୁ ଫେରାଇଲା ଝାରସୁଗୁଡ଼ା ପୋଲିସ
ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପୋଲିସର ‘ଅପରେସନ୍ ନେତ୍ର’ ଅଧୀନରେ ହଜିଯାଇଥିବା ଏବଂ ଚୋରି ହୋଇଥିବା ୫୫ଟି ମୂଲ୍ୟବାନ ମୋବାଇଲ୍ ଫୋନ୍ କୁ ସଫଳତାର ସହ ଟ୍ରେସ୍ କରି ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ମଙ୍ଗଳବାର ଅପରାହ୍ନ ୪ଟାରେ ଜିଲ୍ଲା ପୋଲିସ କାର୍ଯ
ହଜିଥିବା ୫୫ ମୋବାଇଲ୍ ଖୋଜି ମାଲିକଙ୍କୁ ଫେରାଇଲା ଝାରସୁଗୁଡ଼ା ପୋଲିସ


ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପୋଲିସର ‘ଅପରେସନ୍ ନେତ୍ର’ ଅଧୀନରେ ହଜିଯାଇଥିବା ଏବଂ ଚୋରି ହୋଇଥିବା ୫୫ଟି ମୂଲ୍ୟବାନ ମୋବାଇଲ୍ ଫୋନ୍ କୁ ସଫଳତାର ସହ ଟ୍ରେସ୍ କରି ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ମଙ୍ଗଳବାର ଅପରାହ୍ନ ୪ଟାରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଚତୁର୍ଥ ପର୍ଯ୍ୟାୟ ମୋବାଇଲ୍ ହ୍ୟାଣ୍ଡଓଭର ମେଳାରେ ଉଦ୍ଧାର ହୋଇଥିବା ସମସ୍ତ ଫୋନ୍ ସମ୍ପୃକ୍ତ ମାଲିକଙ୍କୁ ଫେରାଇ ଦିଆଯାଇଥିଲା।

ପୋଲିସ ସୂଚନା ଅନୁଯାୟୀ, ଏହା ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୨୬୯ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟର ୫୫ଟି ଫୋନ୍ କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ସର୍ବମୋଟ ୩୨୪ଟି ହଜିଲା ମୋବାଇଲ୍ ଫୋନ୍ ଉଦ୍ଧାର କରି ନାଗରିକମାନଙ୍କୁ ଫେରାଇ ଦିଆଯାଇଛି। ମୋବାଇଲ୍ ଫେରିପାଇବା ପରେ ଲାଭାନ୍ବିତମାନେ ପୋଲିସର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ପର୍ଯ୍ୟାୟରେ ଲଖନପୁର ଥାନାରୁ ସର୍ବାଧିକ୧୩ଟି, ଝାରସୁଗୁଡ଼ା ଥାନାରୁ୧୨ଟି, ବନହରପାଲି ଥାନାରୁ ୬ଟି, ସଦର ଥାନାରୁ ୫ଟି, ବଡ଼ମାଲ ଥାନାରୁ ୪ଟି, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରୁ ୩ଟି ଲେଖାଏଁ, ବେଲପାହାଡ଼ ଥାନାରୁ ୩ଟି, କୋଲାବିରା ଓ ଏୟାରପୋର୍ଟ ଥାନାରୁ ୨ଟି ଲେଖାଏଁ ଏବଂ ଲଇକେରା ଓ ରେଙ୍ଗାଲି ଥାନାରୁ ଗୋଟିଏ ଲେଖାଏଁ ମୋବାଇଲ୍ ଉଦ୍ଧାର କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।

ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି ଯେ, ମୋବାଇଲ୍ ଫୋନ୍ ହଜିଯାଇଥିଲେ କିମ୍ବା ଚୋରି ହୋଇଥିଲେ ତୁରନ୍ତ ସିଇଆଇଆର ପୋର୍ଟାଲ୍ ରେ ଅଭିଯୋଗ ଦାଖଲ କରନ୍ତୁ କିମ୍ବା ନିକଟସ୍ଥ ଥାନାରେ ସୂଚନା ଦିଅନ୍ତୁ। ଏହାଦ୍ୱାରା ମୋବାଇଲ୍ ଶୀଘ୍ର ଟ୍ରାକିଂ ଓ ଉଦ୍ଧାର ସମ୍ଭବ ହୋଇପାରିବ ବୋଲି ପୋଲିସ କହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande