ମହରମ ପାଳନ ନିମନ୍ତେ ଶାନ୍ତି ଓ ସମନ୍ବୟ ସମିତି ବୈଠକ
ମହରମ ପାଳନରେ ଶାନ୍ତି ଓ ସମନ୍ୱୟ ସମିତି ବୈଠକ
ମହରମ ପାଳନରେ ଶାନ୍ତି ଓ ସମନ୍ୱୟ ସମିତି ବୈଠକ


ସମ୍ବଲପୁର, ୨୩ ଜୁନ୍ (ହି.ସ.)- ଚଳିତ ବର୍ଷ ମୁସଲିମ୍ ସଂପ୍ରଦାୟର ଚର୍ଚ୍ଚିତ ମହରମ ପର୍ବ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପରିସରରେ ଏକ ଶାନ୍ତି ଓ ସମନ୍ୱୟ ସମିତି ବୈଠକ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶଶାଙ୍କ ଶେଖର ବେଉରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମନ୍ତ ବାରିକ, ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଏସଡିପିଓ ତୁଫାନ ବାଗଙ୍କ ସମେତ ଶାନ୍ତି ଓ ସମନ୍ୱୟ ସମିତିର ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଞ୍ଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଜିଲ୍ଲାରେ ମହରମ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା।

ମହରମ ସମୟରେ ଜନସାଧାରଣଙ୍କ ସୁବିଧା ପାଇଁ ସହରର ୧୦ଟି ପ୍ରମୁଖ ସ୍ଥାନ (ମୋତିଝରନ, ଭୂତାପଡ଼ା ଛକ, ଜିଲ୍ଲା ସ୍କୁଲ ଛକ, ପେନସନପଡ଼ା, ପୀରବାବା ଛକ, ଗୋଲେବଜାର ଛକ, ଲକ୍ଷ୍ମୀ ଟକିଜ୍ ଛକ, ମୋଦିପଡ଼ା ଛକ, ବାଦବଜାର ଏବଂ କୁଞ୍ଜେଲପଡ଼ା ଛକଠାରେ ୱାଟକୋ ବିଭାଗ ପକ୍ଷରୁ ପାନୀୟ ଜଳ ପୂର୍ଣ୍ଣ ଟ୍ୟାଙ୍କର ମହଜୁଦ ରଖାଯିବ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଶୋଭାଯାତ୍ରା ଅତିକ୍ରମ କରିବାକୁ ଥିବା ସମସ୍ତ ମୁଖ୍ୟ ରାସ୍ତା ଓ ନାଳଗୁଡ଼ିକର ସଫେଇ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯିବ। ଜରୁରୀକାଳୀନ ପରିସ୍ଥିତି ପାଇଁ ଗୋଲେବଜାର ଛକରେ ଏକ ଆମ୍ବୁଲାନ୍ସ ମୁତୟନ ରହିବା ସହ ଅନ୍ୟ ଏକ ଆମ୍ବୁଲାନ୍ସ ଆବଶ୍ୟକୀୟ ଔଷଧ ଏବଂ ଡାକ୍ତରୀ ଦଳ ସହିତ ଜିଲ୍ଲା ସ୍କୁଲରୁ ପୀରବାବା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ସହ ଗତି କରିବ। ମହରମ ପାଳନ ସମୟରେ ସହରରେ ଯେପରି କୌଣସି ପ୍ରକାର ବିଦ୍ୟୁତ ବିଭ୍ରାଟ ନହୁଏ, ସେଥିପାଇଁ ଟିପିଡବ୍ଲୁଓଡିଏଲ ବିଭାଗକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ରହିବେ। ଶୋଭାଯାତ୍ରା ଯେପରି ଶାନ୍ତିପୂର୍ଣ୍ଣ ଓ ସୁଗମ ଭାବେ ଅତିକ୍ରମ କରିବ, ସେଥିପାଇଁ ବ୍ୟାପକ ପୋଲିସ ମୁତୟନ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande