

ବଲାଙ୍ଗିର, ୨୩ ଜୁନ୍ (ହି.ସ.)- ନୂତନ ଆୟକର ଆଇନ-୨ଠ୨୫ର ବ୍ୟବସ୍ଥା ଓ ପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବଲାଙ୍ଗୀର ଆୟକର କାର୍ଯ୍ୟାଳୟ ପରିସରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଆୟକର ପ୍ରମୁଖ କମିଶନରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ଅଇନର ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ଓ ପ୍ରଭାବ ତଥା ପରିବର୍ତ୍ତନ ସହ ବୃତ୍ତିଗତ ମାନଙ୍କୁ ପରିଚିତ କରାଇବା ଏହି ବୈଠକର ଲକ୍ଷ୍ଯ ବୋଲି କୁହାଯାଉଛି । ପରେ ଅନୁଷ୍ଠିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତି ମାନେ ତାଙ୍କର ବିଭିନ୍ନ ପ୍ରଶ୍ନ ଓ ଅନ୍ତର୍ଦୃଷ୍ଟି ସଂପର୍କରେ ପଚାରି ବୁଝିଥିଲେ ।
ଏହି ଆଲୋଚନାଚକ୍ର ଓ ବୈଠକରେ ବଲାଙ୍ଗୀର ୱାର୍ଡ-୧ ଆୟକର ଅଧିକାରୀ ଟୁନ୍ନା କୁମାର, ଏବଂ ଆୟକର ଅଧିକାରୀ(ଭିୟୁ)ଅଜୟ କୁମାର ଯୋଗ ଦେଇ ନୂତନ ଆୟକର ଆଇନର ବିଭିନ୍ନ ଦିଗ ଓ ଏହାର ପ୍ରୟୋଗ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଓକିଲ, ଚାଟାର୍ଡ ଆକାଉଣ୍ଟେଣ୍ଡ୍, ଶିଳ୍ପପତି ଏବଂ ସର୍ବଭାରତୀୟ ବ୍ୟବସାୟୀ ସଂଘର ସଭ୍ୟ ମାନେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ