ବେଲପାହାଡ଼ ଅନାସ୍ଥା ଭୋଟ : ମତଦାନ ହେବ, ଫଳାଫଳ ପ୍ରକାଶରେ ହାଇକୋର୍ଟଙ୍କ ରୋକ୍
No confidance vote for chairman
ବେଲପାହାଡ଼ ଅନାସ୍ଥା ଭୋଟ : ମତଦାନ ହେବ, ଫଳାଫଳ ପ୍ରକାଶରେ ହାଇକୋର୍ଟଙ୍କ ରୋକ୍


ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.)- ବେଲପାହାଡ଼ ନଗରପାଳ ନିମାଇ ଚରଣ ପଣ୍ଡାଙ୍କ ବିରୋଧରେ ଜୁନ ୨୪ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଜାରି କରିଛନ୍ତି। ହାଇକୋର୍ଟ ଅନାସ୍ଥା ଭୋଟ ବୈଠକକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ଅନୁମତି ଦେଇଥିବା ବେଳେ ଏହାର ଫଳାଫଳ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନ୍ୟାୟମୂର୍ତ୍ତି ଭି. ନରସିଂହଙ୍କ ଖଣ୍ଡପୀଠ ବେଲପାହାଡ଼ ନଗରପାଳଙ୍କ ଦ୍ୱାରା ଦାଖଲ ରିଟ୍ ଆବେଦନର ଶୁଣାଣି କରି ଏହି ଆଦେଶ ପ୍ରଦାନ କରିଛନ୍ତି। ଆବେଦନରେ ନିମାଇ ଚରଣ ପଣ୍ଡା ଦର୍ଶାଇଥିଲେ ଯେ, ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ ଓ ଆବଶ୍ୟକ ସଂଲଗ୍ନ ଦଲିଲପତ୍ର ତାଙ୍କୁ ବିଧିବଦ୍ଧ ଭାବେ ପ୍ରଦାନ କରାଯାଇନଥିଲା। ଅନ୍ୟପକ୍ଷରେ, ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୪ ଜଣ କାଉନ୍ସିଲର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା ଯେ, ନୋଟିସ ସହ ସମସ୍ତ ସଂଲଗ୍ନ ଦଲିଲପତ୍ର ନିୟମାନୁସାରେ ପ୍ରଦାନ କରାଯାଇଛି। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ସୂଚନା ଦେଇଥିଲେ ଯେ, ନୋଟିସ ପ୍ରଦାନ କରିବାକୁ ଯାଇଥିବା ପ୍ରକ୍ରିୟା ସେବକ ଆବେଦକଙ୍କ ପରିବାର ସଦସ୍ୟଙ୍କୁ ଏହା ଦେବାକୁ ଚେଷ୍ଟା କରିଥିଲେ। ସେମାନେ ଗ୍ରହଣ କରିବାକୁ ମନା କରିବା ପରେ ନୋଟିସକୁ ଘରେ ଲଗାଇ ଦିଆଯାଇଥିଲା। ତେବେ ଏହି ଦାବିକୁ ଆବେଦକଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୩୦ ତାରିଖରେ ହେବାକୁ ଥିବା ବେଳେ, ରାଜ୍ୟ ସରକାରଙ୍କୁ ଜୁନ ୨୫ ସୁଦ୍ଧା ଶପଥପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପର୍ଯ୍ୟନ୍ତ ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରହିତାଦେଶ ବଳବତ୍ତର ରହିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande