
ଭୁବନେଶ୍ୱର, ୨୩ ଜୁନ୍ (ହି.ସ.)- ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୩ ଦିନ ଅର୍ଥାତ୍ ଆସନ୍ତା ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।
ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ରାଜ୍ୟର ସମସ୍ତ ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଅନ୍ୟ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।
ଅନୁରୂପ ଭାବେ ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ସୁଦ୍ଧା ୩୦ ଜିଲ୍ଲା ଏବଂ ୨୫ ତାରିଖ ସକାଳ ଠାରୁ ୨୬ ତାରିଖ ସକାଳ ସୁଦ୍ଧା ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ