


ସମ୍ବଲପୁର, ୨୩, ଜୁନ୍ (ହି.ସ.) - ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ୦୧ ତାରିଖରେ । ଚଳିତ ବର୍ଷ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ ପୂର୍ବରୁ ମଙ୍ଗଳବାର ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଇଷ୍ଟଦେବୀ ମାଁ' ସମଲେଇଙ୍କୁ ଆନୁଷ୍ଠାନିକ ବିଧି ମୁତାବକ ନିମନ୍ତ୍ରଣ କରାଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅଗଷ୍ଟ ଏକ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜନ ପାଇଁ ଆଉ ମାତ୍ର ଗୋଟିଏ ମାସ ରହିଛି । ସେଥିପାଇଁ ମାଁ' ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ମଂଚର ସଦସ୍ୟ ମାନେ ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ର ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଥିଲେ। ଜେଲ ଛକ ସ୍ଥିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଚଲିତ ବର୍ଷ ଭବ୍ୟ ଆକାରରେ ୧୪ ତମ ସମ୍ବଲପୁରୀ ଦିନ ଆୟୋଜନ କରାଯିବା ନେଇ ମଂଚ ପକ୍ଷରୁ ସ୍ଥିର କରାଯାଇଛି । ସମ୍ବଲପୁରୀ ଲୋକ ସଂସ୍କୃତି କୁ ଆଧାର କରି ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ସାମଗ୍ରୀ ପ୍ରଦର୍ଶନୀ ସହ ବିକ୍ରୟ ଆଦି ବ୍ୟବସ୍ଥା କରାଯିବ । ସମ୍ବଲପୁରୀ ଦିନ ଏବଂ ଗୁରୁ ବହିଦାରଙ୍କ ସମ୍ବଲପୁରୀ ପ୍ରତି ଅବଦାନ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ଆଜି ସମଲେଇ ନିୟୁତା ପରେ ସମ୍ବଲପୁରୀ ଦିନ ପାଇଁ ଡେରା ପରିସରରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ସୂଚନା ଯୋଗ୍ୟ ଯେ, ପଶ୍ଚିମାଂଚଲ ଏକତା ମଂଚର ପ୍ରୟାସରେ ଗୁରୁ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ପାଳନ ବର୍ଷ ୨୦୧୩ ଠାରୁ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ପାଳନ କରାଯାଇ ଆସୁଛି । ଆଜିର ନିୟୁତା କାର୍ଯ୍ୟକ୍ରମ ରେ ଝୁନୁ ତ୍ରୀପାଠୀ, ଶୋଭାଙ୍ଗିନୀ ପଟେଲ, ପଙ୍କଜିନୀ ମେହେର, ଭୂମି ସୂତା ମେହେର, ପଙ୍କଜିନୀ ବୈଠାରୁ, ଯାମିନୀ ଠାକୁର, ଲଲିତା ଭୋଇ, ରୀତା ସ୍ୱାଇଁ, ସୁନିତା ପତି, ସିପ୍ରା ଚକ୍ରବର୍ତୀ, ଦୀପା ରାଉତ, ଅନୁପମା ରାଉତ, ଜୂଲି ମହାପାତ୍ର, ଝରଣା ମେହେର, ରାଜେଶ ସ୍ୱାଇଁ, ଶଙ୍କର ମେହେର, ରାହୁଲ ଗୁପ୍ତା, ପ୍ରେମ ସାହାଣୀ, ପ୍ରସିସ ପଣ୍ଡା, ମାନସ ରଞ୍ଜନ ବକ୍ସି, ଭବାନୀଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ