
ଜୟପୁର, ୨୩ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ରଥଯାତ୍ରା ପାଇଁ ପ୍ରଥମ ଥର ପାଇଁ ପଂଚାୟତ ସମିତି କାର୍ଯ୍ୟାଳୟ କନଫରେନ୍ସ ହଲ୍ ରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ସହ ଭକ୍ତଙ୍କ ସମାଗମକୁ ନିୟନ୍ତ୍ରଣ ପାଇଁ ବ୍ଲକ ପ୍ରଶାସନ ଏବଂ ଯାତ୍ରା କମିଟି ସଦସ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବୈପାରୀଗୁଡା ବିଡ଼ିଓ ସୁବ୍ରତ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, ତହସିଲଦାର ସିଂଗ୍ଧା ଚୌଧୁରୀ, ଉପାଧକ୍ଷା ପୁର୍ଣିମା ବାରିକ, ଏବିଡ଼ିଓ ନିବେଦିତା ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ରଥଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତି ଥିଲେ l ଚଳିତ ବର୍ଷ ରଥଯାତ୍ରା ପରିଚାଳନା ନୂତନ କମିଟି ଗଠନ କରାଯାଇଛି l ଏହି କମିଟିର ଅଧ୍ୟକ୍ଷା ତହସିଲଦାର ସିଂଗ୍ଧା ଚୌଧୁରୀ, ସଭାପତି ଭାବେ ଭାଗିରଥି ମୁର୍ଜିଆ, ସମ୍ପାଦକ ଭାବେ ଲଷ୍ମୀ ନାରାୟଣ ରଥ, କୋଷାଧ୍ୟକ୍ଷ ଭାବେ କଂଗ୍ରେସ ମଲିକଙ୍କୁ ସମସ୍ତ ସଭ୍ୟଙ୍କ ସହମତିରେ ଚୟନ କରାଯାଇଛି l ମୁଖ୍ୟ ପୂଜକ ଦୁର୍ଗା ମାଧବ ରଥଙ୍କ ଉପସ୍ଥିତିରେ ରଥଯାତ୍ରା ପୂଜାବିଧି, ରୀତିନୀତି ଆଲୋଚନା କରାଯାଇଛି। ବିଶେଷକରି ପୂର୍ବରୁ ଟ୍ରାଫିକ ବ୍ୟବସ୍ଥାର ଅସୁବିଧା ସମଧାନ ପାଇଁ ପୋଲିସ ଉପସ୍ଥିତିରେ ଟ୍ରାଫିକ କିପରି ନିୟନ୍ତ୍ରଣ ହେବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି l ଚଳିତ ବର୍ଷ ରଥଯାତ୍ରା ଓ ବାହୁଡା଼ ଯାତ୍ରା ଦିନ ବୈପାରୀଗୁଡା ବଡ଼ଦାଣ୍ଡରେ ଆମିଷ ନିଷେଧ ପାଇଁ ନିଷ୍ପତି ନିଆଯାଇଛି l ରଥ ନିର୍ମାଣ ପାଇଁ ବଢ଼େଇଙ୍କ ସହ ଆବଶ୍ୟକ କାଠ, କପଡ଼ା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ନେଇ ସମୀକ୍ଷା କରାଯାଇଥିଲା l
ଏହି ବୈଠକରେ ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଅଗ୍ନିଶମ ବିଭାଗ, ଗାଁ ର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଡ୍ରାଇଭର ମହାସଂଘ କର୍ମକର୍ତା, ଫ୍ରେଣ୍ଡସ ୟୁନିଟ କ୍ଲବ କର୍ମକର୍ତ୍ତା, ସଂକୀର୍ତନ ସଦସ୍ୟ ପ୍ରମୁଖ ଉପସ୍ଥିତି ଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି