


ବଲାଙ୍ଗିର, ୨୩ ଜୁନ୍ (ହି.ସ.)- ଜନସମ୍ପର୍କ ଓ ନାଗରିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କୋଶଳ କଳା ମଣ୍ଡପ ପଡ଼ିଆଠାରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାସ୍ତରୀୟ ଏହି ସମାରୋହରେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ୧୫ଟି ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବା ସହ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଓ ଲୋକସମ୍ପୃକ୍ତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥିଲେ। ସେମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ ସିଂ ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ନିଶାଙ୍କ ଉପସ୍ଥିତ ରହି ନିଜ ନିଜ ବିଭାଗ ଦ୍ୱାରା ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଜିଲ୍ଲାପାଳ କହିଥିଲେ ଯେ, ଏହି ପ୍ରଦର୍ଶନୀ ଷ୍ଟଲଗୁଡ଼ିକ ମାଧ୍ୟମରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସାଧାରଣ ଜନତା ଅଧିକ ସହଜରେ ଅବଗତ ହୋଇପାରିବେ। ବଲାଙ୍ଗୀର ଏକ ଆକାଂକ୍ଷୀ ଜିଲ୍ଲା ହୋଇଥିଲେ ମଧ୍ୟ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଓ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ ବିକାଶର ଏକ ନୂତନ ଉଚ୍ଚତାରେ ପହଞ୍ଚାଇବା ସମ୍ଭବ ବୋଲି ସେ ଦୃଢ଼ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ମତାମତ ଓ ଅଭିଯୋଗ ସଂଗ୍ରହ କରି ସେମାନଙ୍କ ଆବଶ୍ୟକତାକୁ ଆଧାର କରି ବିକାଶମୂଳକ କାର୍ଯ୍ୟକୁ ଆଗକୁ ବଢ଼ନ୍ତୁ ବୋଲି ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅଭିଯାନରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗ୍ରାମୀଣ ଭିତ୍ତିଭୂମିର ଉନ୍ନତିକରଣକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ପ୍ରତ୍ୟେକ ଅଞ୍ଚଳରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ ସଦା ସର୍ବଦା ଚେଷ୍ଟିତ ବୋଲି ସେ ପ୍ରକାଶ କରିଥିଲେ।
ସମ୍ମିଳନୀର ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ନୀଳିମା କୁଜ୍ଜୁର ମଞ୍ଚ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟକ ସାଧାରଣ ନାଗରିକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ