
ଜୟପୁର, ୨୩ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର କୁଲାବେଡ଼ାରେ ଏପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ସୀମା ନିର୍ଦ୍ଧାରଣରେ ତ୍ରୁଟି ଥିବାରୁ ସମସ୍ୟାରେ ପଡିଛନ୍ତି କୁଲାବେଡ଼ାବାସୀ । ଘର, ଚାଷ ଜମି, ପାଠପଢ଼ା କୋରାପୁଟରେ । ଜୀବିକା ପଡ଼ୋଶୀ ଜିଲ୍ଲା ମାଲକାନଗିରି । ପ୍ରଶାସନ ମଧ୍ୟ ସୀମା ନିର୍ଦ୍ଧାରଣ ନ କରି ଯୋଗାଇ ଚାଲିଛି ସେବା । ଫଳରେ ଗୋଟିଏ ଗାଁରେ ୨ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି ଚାଲିଛି । କୋରାପୁଟ ଜିଲ୍ଲା ପ୍ରଶାସନ ଦଣ୍ଡାବାଡ଼ିକୁ ରାଜସ୍ୱ ଗାଁ ମାନ୍ୟତା ଦେଇଛି । ଗ୍ରାମବାସୀଙ୍କ ଚାଷ ଜମି ଓ ରେକର୍ଡ଼ପତ୍ର ରହିଛି କୋରାପୁଟ ଜିଲ୍ଲାରେ। ଅପରପକ୍ଷରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଖୁଟୁଣିପାଲ୍ଲି ପଞ୍ଚାୟତର କୁଲାବେଡ଼ା ଗାଁ ଭାବି ମାଲକନଗିରି ଜିଲ୍ଲା ସମସ୍ତ ସରକାରୀ ଯୋଜନା ଗ୍ରାମବାସୀଙ୍କୁ ଯୋଗାଇ ଚାଲିଛି । ଗାଁର ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଲୋକଙ୍କୁ ମାଲକାନଗିରି ଜିଲ୍ଲା ସୁବିଧା । ଏମିତିକି ଜନଗଣନା ସମୟରେ ଗାଁ ଲୋକ କୋରାପୁଟ ଜିଲ୍ଲା ଜନଗଣନା ଅଧିକାରୀଙ୍କୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ସାମିଲ ପାଇଁ ଦାବି କରିଥିଲେ । ଜୟପୁର ଉପଜିଲ୍ଲାପାଳ ଓ ବୈପାରିଗୁଡ଼ା ତହସିଲଦାର ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ । କୁଲାବେଡାରୁ ଉଭୟ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟାଳୟ ପ୍ରାୟ
୧୪ କି.ମି. ଦୂର । ଦଣ୍ଡାବାଡ଼ିକୁ ଘାଟି ରାସ୍ତା ଦେଇ ଲୋକେ ଯାତାୟାତ କରୁଛନ୍ତି । ଅନ୍ୟ ଦିଗରେ ଖୁଟୁଣିପାଲ୍ଲିକୁ ସମତଳ ଓ ପକ୍କା ରାସ୍ତା ରହିଛି । ଗାଁରୁ ବୈପାରିଗୁଡ଼ା ବ୍ଲକ୍ ସଦରମହକୁମା ୩୫ କି.ମି. ଓ ମାଥିଲି ବ୍ଲକ୍ ୧୭ କି.ମି.। ଦୈନନ୍ଦିନ ଜୀବିକା ଓ ସରକାରୀ ସୁବିଧା ପାଇଁ କୁଳବେଡ଼ାବାସୀ ମାଲକାନାଗିରି ଜିଲ୍ଲା ଉପରେ ନିର୍ଭରଶୀଳ । ଗାଁର ୧୧୪ ପରିବାର ମଧ୍ୟରୁ କୋରାପୁଟ ଜିଲ୍ଲା ଅଧୀନରେ ୧୧୦ ଓ ମାଲକାନଗିରି ଜିଲ୍ଲାର ରାଜସ୍ୱ ଗାଁରେ ୪ଟି ପରିବାର ରହୁଛନ୍ତି । ଏହି ଗାଁରେ ଦୁଇଟି ଜିଲ୍ଲାର ୨ଟି ସ୍କୁଲ ଓ ୨ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । କୋରାପୁଟ ଜିଲ୍ଲା ସ୍କୁଲରେ ପିଲା କମ୍, ମାଲକାନାଗିରି ଜିଲ୍ଲା ସ୍କୁଲରେ ଅଧିକ ପିଲା । ଉଚ୍ଚଶିକ୍ଷା ପାଇଁ ମାଥିଲି କଲେଜ
ଉପରେ ଛାତ୍ରଛାତ୍ରୀ ନିର୍ଭରଶୀଳ । ମାଲକାନାଗିରି ଜିଲ୍ଲା ପ୍ରଶାସନ ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଭତ୍ତା, ରାସନ, ମନରେଗାରେ ଜବ୍ କାର୍ଡ, ଆବାସ ଯୋଜନା, କୃଷି ଉପକରଣ, ସ୍ୱାସ୍ଥ୍ୟବୀମା ସମସ୍ତ ସୁବିଧା ଯୋଗାଉଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବି ଅନୁରୂପ ସେବା ଯୋଗାଇ ଦିଆଯାଉଛି । ଗ୍ରାମବାସୀଙ୍କ ପାଖରେ ଉଭୟ ଜିଲ୍ଲାର ଭୋଟରକାର୍ଡ ରହିଛି । ବିଧାନସଭା ନିର୍ବାଚନରେ ଗାଁରେ ୩୭୫ ଭୋଟର କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସୀମାନିର୍ଦ୍ଧାରଣ କରି ଗ୍ରାମବାସୀଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି