
-୨୩ ଜୁ୍ନ୍ (ବଳିଦାନ ଦିବସ)ରୁ ୬ ଜୁଲାଇ (ଜନ୍ମଦିବସ) ପର୍ଯ୍ୟନ୍ତ ସ୍ମୃତି ପକ୍ଷ ପାଳନ କରାଯିବ
ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ, ମାର୍ଗଦର୍ଶକ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ତିରୋଧାନ ଦିବସ। ସାରା ଦେଶରେ ଏହାକୁ ବଳିଦାନ ଦିବସ ଭାବେ ପାଳନ କରାଯାଏ। ସ୍ୱର୍ଗତଃ ମୁଖାର୍ଜୀ ବହୁତ କମ୍ ସମୟ ମଧ୍ୟରେ ନିଜ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରି ଶୀର୍ଷରେ ପହଂଚି ପାରିଥିଲେ। କଂଗ୍ରେସର ମନମୁଖୀ ଶାସନକୁ ସେ ବରଦାସ୍ତ କରି ନଥିଲେ। ଦେଶର ସ୍ୱାଧୀନତା ପରେ ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କର କେବେ କ୍ଷମତା ଲୋଭ ନ ଥିଲା। ଯେତେବେଳେ ପଣ୍ଡିତ ଜବାହାରଲାଲ୍ ନେହେରୁ ଦେଶରେ ମନମୁଖୀ ଭାବେ ଶାସନ କରୁଥିଲେ ସେତେବେଳେ ସଂସଦରେ ତାଙ୍କ ସହ ଯୁକ୍ତି କରି ସ୍ୱର୍ଗତଃ ମୁଖାର୍ଜୀ ନେହେରୁଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ କ୍ଷମତାରୁ ବଳିଦାନ ଦେଇଥିଲେ। ଦେଶବାସୀଙ୍କ ସେବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ସ୍ୱର୍ଗତଃ ମୁଖାର୍ଜୀଙ୍କ ପାଇଁ ଦେଶ ଥିଲା ସର୍ବୋପରି। ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୪ତମ ବଳିଦାନ ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବିନଙ୍କ ନିର୍ଦ୍ଦେଶାନୁସାରେ ୨୩ ଜୁ୍ନ୍ (ବଳିଦାନ ଦିବସ)ରୁ ୬ ଜୁଲାଇ (ଜନ୍ମଦିବସ) ପର୍ଯ୍ୟନ୍ତ ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ମୃତି ପକ୍ଷ ପାଳନ କରାଯିବ। ଏହି ଅବସରରେ ସମସ୍ତ ବୁଥ୍ରେ ବୁଥ୍ କମିଟି ସଦସ୍ୟ, ପ୍ରାଥମିକ ସଦସ୍ୟ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ୨୮ ଜୁନ୍ (ମନ୍ କି ବାତ୍) ଅଥବା ୬ ଜୁଲାଇରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ। ସ୍ୱର୍ଗତଃ ମୁର୍ଖାଜୀଙ୍କ ବିଷୟରେ ଯୁବ ସମାଜ ଅଧିକ ଜାଣିବା ପାଇଁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ସ୍ୱର୍ଗତଃ ମୁର୍ଖାଜୀଙ୍କ ବିଚାରଧାରା ଓ ଆଦର୍ଶକୁ ଅନୁସରରଣ କରି ତାଙ୍କ ବାର୍ତାକୁ ରାଜ୍ୟର କୋଣ ଅନୁକୋଣରେ ପହଂଚାଇବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ମଂଚ ପରିଚାଳନା କରିଥିବାବେଳେ ସାଂସଦ ତଥା ଡ. ଶ୍ୟ।।ମାପ୍ରସାଦ ମୁଖାର୍ଜୀ ସ୍ମୃତିପକ୍ଷ କାର୍ଯ୍ୟକ୍ରମର ସଂଯୋଜକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବଳିଦାନ ଦିବସ ଉପଲକ୍ଷେ ଆଜି ସକାଳେ ଭୁବନେଶ୍ୱରସ୍ଥିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ବିଜେପି ନେତୃବୃନ୍ଦ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଚାରାରୋପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା