
ପୁରୀ, ୨୩ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସଭାଗୃହରେ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟମ ବିଭାଗ ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବକ ଯୁବତୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏସଏଚଜି ସଦସ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି, କୌଶଳ ବିକାଶ ଏବଂ ସ୍ୱରୋଜଗାର ସୁଯୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ସମାବେଶର ମୂଳ ଉଦ୍ଦେଶ୍ୟ ଥିଲା। ସମାବେଶରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ମାନସ କୁମାର ବାରିକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ପୁରୀ, ସତ୍ଯବାଦୀ ବ୍ଲକ ବିକାଶ ଅଧିକାରୀ ଦେବାଶିଷ ନାୟକ , ଜିଲ୍ଲା ପରିଷଦ ସଦସ୍ଯା ବିଷ୍ଣୁପ୍ରିୟା ବରାଳ, ଜିଲ୍ଲା ପରିଷଦ ସଦସ୍ଯ ରତିକାନ୍ତ ମିଶ୍ର, ସ୍କିଲ ଡେଭଲପମେଣ୍ଟ କମ୍ ଏମ୍ପ୍ଲୟମେଣ୍ଟ ଅଫିସର ପ୍ରଭାତ କୁମାର ବସ୍ତିଆ, ସତ୍ଯବାଦୀ ଶିଳ୍ପ ବିକାଶ ଅଧିକାରୀ ସଞ୍ଜୟ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ ଯୁବସମାଜକୁ ସରକାରଙ୍କ ବିଭିନ୍ନ ସ୍ୱରୋଜଗାର ଏବଂ ଉଦ୍ୟୋଗ ବିକାଶ ଯୋଜନାର ସୁଯୋଗ ନେଇ ସ୍ୱାବଲମ୍ବୀ ହେବା ପାଇଁ ଆହ୍ୱାନ କରିଥିଲେ। ମାନସ କୁମାର ବାରିକ ଏମଏସଏମଇ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନରେ ଯୁବଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ। ଦେବାଶିଷ ନାୟନ ଗ୍ରାମାଞ୍ଚଳରେ ସ୍ୱରୋଜଗାର ସୃଷ୍ଟି ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ମତ ରଖିଥିଲେ। ବିଷ୍ଣୁପ୍ରିୟା ବରାଳ ଏବଂ ରତିକାନ୍ତ ମିଶ୍ର ଯୁବକ ଯୁବତୀମାନଙ୍କୁ ସରକାରୀ ଯୋଜନାର ସୁଯୋଗ ନେଇ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଦେଇଥିଲେ। ପ୍ରଭାତ କୁମାର ବସ୍ତିଆ କୌଶଳ ବିକାଶ, ତାଲିମ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ସତ୍ଯବାଦୀ ଶିଳ୍ପ ବିକାଶ ଅଧିକାରୀ ସଞ୍ଜୟ କୁମାର ନାୟକ, ପିଏମଇଜିପି, ପିଏମଏଫଏମଇ ମୁଖ୍ୟମନ୍ତ୍ରୀ ଏମଏସଏମଇ ସୁଧ ପ୍ରତିପୂରଣ ଯୋଜନା ସିଏମ-ଏସଆରଆଇଏମ ଏବଂ ଅନ୍ୟାନ୍ୟ ଏମଏସଏମଇ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଯୁବକ ଯୁବତୀମାନଙ୍କୁ ଉଦ୍ୟୋଗୀ ହୋଇ ସ୍ୱାବଲମ୍ବୀ ହେବା ପାଇଁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମ ଅବସରରେ ପିଏମଇଜିପି ଏବଂ ପିଏମଏଫଏମଇ ଯୋଜନାର ୫ ଜଣ ସଫଳ ହିତାଧିକାରୀଙ୍କୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ମାନସ କୁମାର ବାରିକ, ବ୍ଲକ ବିକାଶ ଅଧିକାରୀ ଦେବାଶିଷ ନାୟନ ସତ୍ୟବାଦୀଙ୍କ ଦ୍ୱାରା ଉତ୍ତରୀୟ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ହିତାଧିକାରୀମାନେ ନିଜର ସଫଳତାର ଅନୁଭୂତି ବାଣ୍ଟିବା ସହ ଅନ୍ୟ ଯୁବକ ଯୁବତୀମାନଙ୍କୁ ସରକାରୀ ଯୋଜନାର ସୁଯୋଗ ଗ୍ରହଣ କରି ସ୍ୱରୋଜଗାର ଦିଗରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।
ସମାବେଶରେ ବହୁ ସଂଖ୍ୟକ ଯୁବକ ଯୁବତୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରଛାତ୍ରୀ ଏବଂ ଆଗ୍ରହୀ ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ସରକାରୀ ଯୋଜନା ସମ୍ପର୍କରେ ସୂଚନା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ