
ନୂଆପଡ଼ା, ୨୮ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିଜେପୁର ଧାନ ମଣ୍ଡିରେ ଏବେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ପରିସରରେ ୬୮୫ ଜଣ ଚାଷୀଙ୍କ ପ୍ରାୟ ୬୫ ହଜାର ବସ୍ତା ଧାନ ଦୀର୍ଘ ଦିନ ଧରି ପଡ଼ି ରହିଥିବା ବେଳେ, ଗତକାଲିର ବର୍ଷାରେ ବହୁ ପରିମାଣର ଧାନ ଭିଜି ଯାଇଛି। ଫଳରେ ଅନେକ ଚାଷୀଙ୍କ ଧାନ ଗଜା ହେବା ଆରମ୍ଭ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି। ଏନେଇ ଆଜି ଶତାଧିକ ଚାଷୀ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀମାନେ କହିଛନ୍ତି ଯେ, ସରକାରଙ୍କ ଧାନ କ୍ରୟ ବ୍ୟବସ୍ଥାରେ ସମନ୍ୱୟର ଅଭାବ ଏବଂ ମିଲରଙ୍କ ଦ୍ୱାରା ସମୟମତେ ଧାନ ଉଠାଣ ନ ହେବାରୁ ଏପରି ପରିସ୍ଥିତି ଉପୁଜିଛି। ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ବେଳେ ବର୍ଷାରୁ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ତ୍ରିପାଲ କିମ୍ବା ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀମାନେ କ୍ଷତି ସହିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ପକ୍ଷରୁ ବାରମ୍ବାର ଧାନ ଶୀଘ୍ର ଉଠାଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା କେବଳ ଆଶ୍ୱାସନରେ ସୀମିତ ରହିଛି। ବିଶେଷ କରି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ମଧ୍ୟ ବାସ୍ତବରେ କାର୍ଯ୍ୟକାରୀ ହୋଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏପରି ସ୍ଥିତିରେ ସରକାର ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ ସମସ୍ତ ଧାନ ଉଠାଣ ସମ୍ଭବ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଣ୍ଡିରେ ବିପୁଳ ପରିମାଣର ଧାନ ଜମି ରହିଥିବାରୁ ଆଗାମୀ ଦିନରେ ପୁଣି ବର୍ଷା ହେଲେ କ୍ଷତି ଆହୁରି ବଢ଼ିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଚାଷୀମାନଙ୍କ ଦାବି ହେଉଛି, ତୁରନ୍ତ ମିଲରଙ୍କୁ ଧାନ ଉଠାଣ ପାଇଁ ନିର୍ଦ୍ଦେଶ ଦିଆଯାଉ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉ ଏବଂ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଧାନ ପାଇଁ ଚାଷୀଙ୍କ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। ବର୍ତ୍ତମାନ ଚାଷୀଙ୍କ ଆଖି ସରକାର ଓ ଜିଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଚାଷୀମାନେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି। ଏନେଇ ତହସିଲଦାର ନରସିଂହ ଗଡ଼ବା ପରିଦର୍ଶନ କରି ଚାଷୀଙ୍କ ଧାନ ଶିଘ୍ର ଉଠାଣ ବ୍ୟବସ୍ଥା କରିବାର ପ୍ରତିଶ୍ରୃତି ଦେଇଥିଲେ। ଦେଖାଯାଉ ଆସନ୍ତା ୫ ଦିନ ମଧ୍ୟରେ କିପରି ୬୫ ହଜାର ବସ୍ତା ଧାନ ଉଠାଣ ହେବ ତାହା ଦେଖିବାକୁ ବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ