ପାରିବାରିକ ବିବାଦର କରୁଣ ପରିଣତି : ସ୍ତ୍ରୀଙ୍କୁ ପିଟି ହତ୍ୟା, ସ୍ୱାମୀ ଗିରଫ
Husband murder his wife
ପାରିବାରିକ ବିବାଦର କରୁଣ ପରିଣତି : ସ୍ତ୍ରୀଙ୍କୁ ପିଟି ହତ୍ୟା, ସ୍ୱାମୀ ଗିରଫ


ଝାରସୁଗୁଡ଼ା, ୨୮ ଜୁନ୍ (ହି.ସ.)- ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍. କଣ୍ଟାପାଲି (ଗଣ୍ଠିଆବୁଡ଼) ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସ୍ୱାମୀ ରାହୁଲ ବାଗଙ୍କୁ ଗିରଫ କରିଛି। ମୃତକ ହେଲେ ୨୮ ବର୍ଷୀୟା ସୌଦାମିନୀ କିଷାନ।

ସୂଚନା ଅନୁଯାୟୀ, ରାହୁଲ ଓ ସୌଦାମିନୀ ପ୍ରାୟ ତିନି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ପାରିବାରିକ କଳହ ଲାଗି ରହୁଥିବା ଜଣାପଡ଼ିଛି। ରବିବାର ସକାଳେ ପୁଣି ଥରେ କୌଣସି କଥାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦ ଉଗ୍ର ରୂପ ନେବା ପରେ ରାହୁଲ ସ୍ତ୍ରୀ ସୌଦାମିନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହେବାରୁ ଘଟଣାସ୍ଥଳରେ ସୌଦାମିନୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖବର ପାଇ ଝାରସୁଗୁଡ଼ା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ରାହୁଲ ବାଗଙ୍କୁ ଗିରଫ କରାଯାଇଛି।

ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ରାହୁଲ ଓ ସୌଦାମିନୀ ଭିନ୍ନ ଜାତିରେ ପ୍ରେମ ବିବାହ କରିଥିଲେ। ତେବେ ହତ୍ୟାର ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande