
କେନ୍ଦ୍ରାପଡା, ୨୮ ଜୁନ୍ (ହି.ସ.)- ସୋମବାର ଜ୍ୟୋଷ୍ଠପୂର୍ଣ୍ଣିମା ବା ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ ଭାଇ ବଳଦେବଜୀୟୁଙ୍କ ସ୍ନାନ ପୁର୍ଣିମାକୁ ନେଇ ବେଶ ଉତ୍ସାହିତ ଶ୍ରଦ୍ଧାଳୁ l ଆଜି ଠାରୁ ଉତ୍ସବ ମୁଖର ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା l ଇଚ୍ଛାପୁର ସ୍ଥିତ ସିଦ୍ଧ ବଳଦେବଜୀୟୁଙ୍କ ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାର ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଆଜି ଠାରୁ ଲାଗି ରହିଛି l ତେବେ ପ୍ରତିଦିନ ପରି ମହାପ୍ରଭୁଙ୍କ ନୀତିକାନ୍ତି କରାଯିବା ପରେ ଘଣ୍ଟ ଖୋଳ କୀର୍ତନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପ୍ରେମମୟ ସଂକୀର୍ତନରେ ଫାଟି ପଡୁଛି ମନ୍ଦିର ପରିସର l ଆଜିଠାରୁ ମନ୍ଦିର ପରିସରରେ ଭକ୍ତଙ୍କ ରହଣି ଦେଖିବାକୁ ମିଳିଛି l ଆସନ୍ତା କାଲି ସ୍ନାନ ପୂର୍ଣ୍ଣିମାକୁ ନେଇ ମନ୍ଦିରରେ ବିଶେଷ ନୀତିକାନ୍ତି ରହିଛି l ଆଜି ପ୍ରଭୁ ବଳଦେବ ଭାଇ ଭଉଣୀଙ୍କ ସହ ରତ୍ନ ସିଂହାସନ ଛାଡି ଭୋଗ ମଣ୍ଡପରେ ରହିବେ l ଗତକାଲି ସେନା ପଟ୍ଟା ଲାଗି ପରେ ନୂତନ ବସ୍ତ୍ର ପରିଧାନ କରି ଭକ୍ତମାନଙ୍କୁ ଦର୍ଶନ ଦେବ l ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଥିବା କହିଛନ୍ତି ସେବାୟତ ଜ୍ୟୋତି ରଞ୍ଜନ ପତ୍ରୀ l ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ନିଷ୍ଠା ଏକାଗ୍ରତା ସହ ବଳଦେବଜୀୟୁଙ୍କ ମନ୍ଦିର ସମ୍ମୁଖରେ ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନକରି ଭଜନ କୀର୍ତନର ତାଳେ ତାଳେ ନୃତ୍ୟ ପରିବେଷଣରେ ମତୁଆଲା ହୋଇ ପଡୁଛନ୍ତି l
ହିନ୍ଦୁସ୍ଥାନ ସମାଚାର / ରବି