
ନୂଆପଡ଼ା, ୨୮ ଜୁନ (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ -ସିନାପାଲି ରାସ୍ତା ନିର୍ମାଣ କାମ ଚାଲିଛି। ସିନାପାଲି ଠାରୁ ନେହେନା ମିଳପଡା ପର୍ଯ୍ୟନ୍ତ କାମ ଶେଷ ହୋଇଛି। ହେଲେ ନେହେନା ମିଳପଡା ଠାରୁ ଖଡ଼ିଆଳ ତିନି କି.ମି. ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇ ଫୁଟ ରୁ ଚାରି ଫୁଟ ମାଟି ଖୋଳି ସମ୍ପୃକ୍ତ ଠିକା ସଂସ୍ଥା ଦୀର୍ଘ ତିନି ମାସରୁ ଅଧିକ ଦିନ ହେବ ଛାଡି ଦେଇଛି। ସେହି ରାସ୍ତାର ଉଭୟ ପାର୍ଶ୍ୱରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସତର୍କତା ମୂଳକ ସୂଚନା ଫଳକ ଲଗାଯାଉ ନଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ଖୋଲା ଥିବା ରାସ୍ତା ଧୂଳିମୟ ହେଉଛି ଫଳରେ ସ୍ଥାନୀୟ ଜନସାଧାରଣ ଓ ପଥିକ ହଇରାଣ ହେଉଛନ୍ତି। ବିଶେଷକରି ରାତି ସମୟରେ ଖୋଳା ରାସ୍ତା, ଗଭୀର ଖାଲ ଓ ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ପଡ଼ି ରହୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହା ସତ୍ତ୍ୱେ ସମ୍ପୃକ୍ତ ଠିକାଦାର ଓ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତୁରନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଏନେଇ ଖଡ଼ିଆଳ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇନଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ