ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଉଦ୍ଘାଟିତ
କେନ୍ଦ୍ରାପଡ଼ା, ୨୮ ଜୁନ୍ (ହି.ସ.)- ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ା ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ–୨୦୨୬କୁ ଆଜି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କେନ୍ଦ୍ରାପଡ଼ା ଠାରେ
---------------ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ୟ୍ୟକ୍ରମ–୨୦୨୬ ଉଦ୍ଘାଟିତ


କେନ୍ଦ୍ରାପଡ଼ା, ୨୮ ଜୁନ୍ (ହି.ସ.)-

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ା ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ–୨୦୨୬କୁ ଆଜି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କେନ୍ଦ୍ରାପଡ଼ା ଠାରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଶୁଭ ଉଦ୍ଘାଟନ କରିଥିଲେ।

ଚଳିତ ବର୍ଷ ୨୮ରୁ ୩୦ ଜୁନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ବୟସର ମୋଟ ୧,୧୦,୬୪୩ ଜଣ ଶିଶୁଙ୍କୁ ପୋଲିଓ ପ୍ରତିଷେଧକର ଦୁଇ ବୁନ୍ଦା ଔଷଧ ପ୍ରଦାନ କରାଯିବ। ପ୍ରଥମ ଦିନ ବୁଥ୍ ଗୁଡ଼ିକରେ ପୋଲିଓ ଡ୍ରପ୍ ପ୍ରଦାନ କରାଯାଉଥିବା ବେଳେ ଆସନ୍ତା ୨୯ ଓ ୩୦ ଜୁନରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଯେଉଁ ଶିଶୁମାନେ ପୋଲିଓ ଡ୍ରପ୍ ନେଇନଥିବେ ସେମାନଙ୍କୁ ଏହା ପ୍ରଦାନ କରିବେ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନମିତା ପଟ୍ଟନାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରି, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଡା. ମନୋରଞ୍ଜନ ସାହୁ, ଡେପୁଟି ମ୍ୟାନେଜର (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ଡା. ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ମ୍ୟାନେଜର (କମ୍ୟୁନିଟି ପ୍ରୋସେସ) ନୃସିଂହ ଚରଣ ଭୂୟାଁ, ଆସିଷ୍ଟାଣ୍ଟ ମ୍ୟାନେଜର (ଏନ୍ସିଡି) ଶ୍ୟାମ ସୁନ୍ଦର ବିଶ୍ୱାଳ, ଆସିଷ୍ଟାଣ୍ଟ ମ୍ୟାନେଜର (ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ) ମମତା ଦାଶ, ଜିଲ୍ଲା ଭ୍ୟାକ୍ସିନ୍ ଲଜିଷ୍ଟିକ୍ ମ୍ୟାନେଜର ଅବିନାଶ ଦାସ, ଜିଲ୍ଲା ଇମ୍ୟୁନାଇଜେସନ୍ ଆସିଷ୍ଟାଣ୍ଟ ମନୋଜ ଦାଶ, ଆଇଡିଏସପି ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ରାଉତ ଏବଂ ପରାମର୍ଶଦାତା ପ୍ରକାଶ ଚନ୍ଦ୍ର ମାଥାନ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଉଦ୍ଘାଟନ ପରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ ପରାମର୍ଶଦାତା ବିଭିନ୍ନ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଲିଥିବା ପଲ୍ସ ପୋଲିଓ ବୁଥ୍ ଗୁଡ଼ିକର ତଦାରଖ ପାଇଁ ବାହାରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆୟର କହିଥିଲେ ଯେ, ତିନି ଦିନିଆ ଏହି ଅଭିଯାନର ସଫଳତା ପାଇଁ ସମସ୍ତ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀ ସମନ୍ୱିତ ଭାବେ କାର୍ଯ୍ୟ କରନ୍ତୁ। ବିଶେଷକରି ଘରକୁ ଘର ବୁଲି କୌଣସି ଶିଶୁ ଯେପରି ପୋଲିଓ ଡ୍ରପ୍ ରୁ ବଞ୍ଚିତ ନ ରୁହନ୍ତି, ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅଗ୍ରଗତିର ସମୀକ୍ଷା କରି ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande