ମୌସୁମୀ ଦେଲା ଧୋକା : ଧାନ ଚାଷୀ କ୍ଷେତରୁ ଘାସ ବାଛିବାକୁ ଅମଙ୍ଗ : ଉଜୁଡି ଯିବ ଧାନ ଚାଷ, ଆଗକୁ ପଡିଆ ପଡିବ ବିଲ
ଧର୍ମଶାଳା, ୨୭ ଜୁନ୍ (ହି.ସ.)- ଗ୍ରୀଷ୍ମ ପ୍ରବାହରେ ଛଟପଟ ଜନସାଧାରଣ । ସେପଟେ ଠିକ୍ ସମୟରେ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଏବେ ଅଷାଢ ମାସ ସରିବାକୁ ବସିଲାଣି । ହେଲେ ମୌସୁମୀର ଲୁଚକାଳି ଏବେ ଧାନ ଚାଷ ଉପରେ ପ୍ରଭାବ ପଡିଛି । ଯାଜପୁର ଜିଲା ରସୁଲପୁର, ଧର୍ମଶାଳା ଓ ବର
ମୌସୁମୀ ଦେଲା ଧୋକା : ଧାନ ଚାଷୀ କ୍ଷେତରୁ ଘାସ ବାଛିବାକୁ ଅମଙ୍ଗ


ଧର୍ମଶାଳା, ୨୭ ଜୁନ୍ (ହି.ସ.)- ଗ୍ରୀଷ୍ମ ପ୍ରବାହରେ ଛଟପଟ ଜନସାଧାରଣ । ସେପଟେ ଠିକ୍ ସମୟରେ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଏବେ ଅଷାଢ ମାସ ସରିବାକୁ ବସିଲାଣି । ହେଲେ ମୌସୁମୀର ଲୁଚକାଳି ଏବେ ଧାନ ଚାଷ ଉପରେ ପ୍ରଭାବ ପଡିଛି । ଯାଜପୁର ଜିଲା ରସୁଲପୁର, ଧର୍ମଶାଳା ଓ ବରୀ ଅଂଚରେ ଧାନ ଚାଷୀମାନେ ହଜାର ହଜାର ହେକ୍ଟର ଜମିରେ ବର୍ଷାର ଆଗମନକୁ ଦେଖି ଧାନ ଚାଷ ଆରମ୍ଭ କରି ଦେଇଥିଲେ । ବିଶେଷ କରି ଧର୍ମଶାଳା ଅଂଚଳର କିଛି ବ୍ଲକକୁ ଛାଡି ପ୍ରାୟତଃ ରସୁଲପୁର ଓ ବରୀ ବ୍ଲକର ଧାନଚାଷୀମାନେ ବିଓଳି ଧାନ ଚାଷ କରିଥାନ୍ତି । ହେଲେ ଏବେ ଚାଷୀ ବର୍ଷାକୁ ଅନାଇ ମୁଣ୍ଡରେ ହାତ ଦେଇ ବସିଛି । ବିଭିନ୍ନ ଉପାୟରୁ ଧାର କରଜ କରି କଳ ଲଙ୍ଗଳରେ ଚାଷ କରିବା ସହିତ କଳା ବଜାରରୁ ଧାନ ବିହନ ସାଂଗକୁ ସାର ଓ କୀଟନାଶକ ଔଷଧ ଆଣି କ୍ଷେତରେ ପ୍ରୟୋଗ କରିଥିଲା । ହେଲେ ଏବେ ବର୍ଷା ଅଭାବରୁ ଧାନ ଗଛ ଉପରେ ବେଶ୍ ପ୍ରଭାବ ପକାଇଛି । ଏବେ ଧାନ ବିଲରେ ଘାସ ଉଠିଲାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଲରୁ ଘାସ ବାଛିବାକୁ ବଳ ଯୋଗାଡ କରି ପାରୁ ନାହିଁ । ଆଉ କେଉଁଠୁ ହାତ ଉଧାର କରି ବିଲକୁ ଯିବ ତାହାକୁ ନେଇ ଚିନ୍ତାରେ ପଡି ଯାଇଛି । ଯଦି ଆଗକୁ ଧାନ ଚାଷ ପାଇଁ ଯେଉଁ ପରିମାଣର ପାଣି ଆବଶ୍ୟକ ସେହି ପରିମାଣର ବର୍ଷା ନ ହେଲେ ଚଳିତ ବର୍ଷ ଧାନ ଚାଷ ଉଜୁଡି ଯିବ ବୋଲି ଚାଷୀମାନେ କହିଛନ୍ତି । ଏବେ ଶହଶହ ଏକର ଜମି ଶୁଖିଲା ପଡିଛି । ବିଲରେ ଘାସ ବାଛିବାକୁ ଅମଙ୍ଗ ହେଉଥିବା ବେଳେ ଅନେକ ସ୍ଥାନରେ ଗୃହପାଳିତ ପଶୁମାନଙ୍କ ଚରାଭୂମି ପାଲଟିଲାଣି । ସେପଟେ ଚାଷୀ ସରକାରୀ ଧାନ ବିହନକୁ ଅନାଇ ମାର୍କେଟରୁ ଚଢା ଦରରେ ବିହନ ଆଣିବାକୁ ବାଧ୍ୟ ହୋଇଥିଲେ । ସାର ଓ ଔଷଧର ଦର ବୃଦ୍ଧି ସାଙ୍ଗକୁ ଦିନ ମଜୁରୀଆଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁବ ଚାଷୀମାନେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଲକୁ ଯିବକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି । ବାରମ୍ବାର ଏଭଳି ସମସ୍ୟା ଲାଗି ରହିଲେ ଚାଷୀମାନେ ଧାନ ଚାଷ ଉପରୁ ମୁହଁ ଫେରାଇବାକୁ ବାଧ୍ୟ ହେବେ ବୋଲି ଅଂଚଳର ଅଗ୍ରଣୀ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଧାନ କ୍ଷେତକୁ ଜଳସେଚନର ବ୍ୟବସ୍ଥା ନାହିଁ । ଯଦି ସରକାରୀ ସ୍ତରରେ ଆନ୍ତରିକତା ଦେଖାଇ ଜଳସେଚନ ଉପରେ ଗୁରୁତ୍ୱ ଦେଲେ ଚାଷୀ ମୁହଁରେ ହସ ଫୁଟିବ ବୋଲି ଯୁବ ଚାଷୀମାନେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande