
ଜୟପୁର, ୨୮ ଜୁନ୍ (ହି.ସ.) - ବିଭିନ୍ନ ଅନୁଷ୍ଠାନ ତରଫରୁ ବିକ୍ରମ ଦେବ ବର୍ମା ଙ୍କ ଜୟନ୍ତି ପାଳିତ ହୋଇଛି। ସାହିତ୍ୟ ସମ୍ରାଟ ମହାରାଜା ବିକ୍ରମ ଦେବ ବର୍ମା ଙ୍କ ୧୫୮ ତମ ଜୟନ୍ତି ପାଳିତ ହୋଇଛି । ଓଡିଶା ସାହିତ୍ୟ ଏକାଡେମୀ, ଜୟପୁର ସାହିତ୍ୟ ପରିଷଦ ଓ କୋରାପୁଟ ଜିଲା ସଂସ୍କୁତି ବିଭାଗର ମିଳିତ ଆନୁକଲ୍ୟରେ ଆଜି ପାଳିତ ହୋଇଛି । ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି । ଏଠାରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର କୁଳପତି ହୃଷୀକେଶ ସେନାପତି ଉପସ୍ଥିତ ରହିଥିବା ବେଳେ ଦ୍ୱିତିୟ ଅଧିବେଷନରେ ଆଲୋଚ୍ୟ ପ୍ରସଙ୍ଗ ଓଡିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ରେ ସାହିତ୍ୟ ସମ୍ରାଟ ବିକ୍ରମ ଦେବଙ୍କ ଅବଦାନ ଆଲୋଚନ ଅବସରରେ ପ୍ରବନ୍ଧିକ ନଳିନି ରଞ୍ଜନ ମିଶ୍ର, ଗବେଷକ ପରେଶ ରଥ ଆଲୋଚନ ଭାବରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜୟପୁର ସାହିତ୍ୟ ପରିଷଦର ସଭାପତି ଶ୍ରୀନାଥ ମିଶ୍ର ପୌରହିତ୍ୟ କରିଥିଲେ । ଏହି ଅବସରରେ କବିତା ପାଠ ଉତ୍ସବ, ତୃତୀୟ ଅଧିବେଷନରେ ସାହିତ୍ୟ ସମ୍ରାଟ ବିକ୍ରମ ଦେବ ଙ୍କ ଉପରେ ଆଧାରିତ ସ୍ୱରଚିତ କବିତାକୁ କବି ମାନେ ପାଠ କରିଥିଲେ ।
ଜୟପୁର ମହାରାଜା ସାହିତ୍ୟ ସମ୍ରାଟ୍ ବିକ୍ରମଦେବ ବର୍ମା ଏକାଧାରରେ ଥିଲେ ଜଣେ କର୍ମବୀର, ଦାନବୀର, ଧର୍ମବୀର, ଦେଶପ୍ରାଣ, କବି, ନାଟ୍ୟକାର, ଗବେଷକ, ସଂସ୍କୃତବିଦ୍ ଓ ବୈୟାକରଣ। ଓଡ଼ିଆ, ତେଲୁଗୁ ଓ ସଂସ୍କୃତ ଭାଷାରେ ସେ ଥିଲେ ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ଓଡ଼ିଆ ଭାଷା, ସଂସ୍କୃତିର ଦିଗ୍ଦର୍ଶକ ତଥା ସଂରକ୍ଷକ। ତେଲୁଗୁ ଓ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ସାଂସ୍କୃତିକ ସଂହତି ଓ ସମନ୍ୱୟ ପ୍ରତିଷ୍ଠା ପାଇଁ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ଅତୀବ ପ୍ରଶଂସନୀୟ। ସେ ଥିଲେ ଭାରତୀୟ ସଂସ୍କୃତି ଓ ଜାତୀୟତାର ସନ୍ଦେଶବାହକ ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡର ପୃଷ୍ଠପୋଷକ ତଥା ଗ୍ରନ୍ଥର ମୂଳ ସହାୟକ। ସମଗ୍ର ଓଡ଼ିଶା ଓ ଆନ୍ଧ୍ରର ଶିକ୍ଷା, ସ୍ୱାସ୍ଥ୍ୟ, ଭାଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ତଥା ବିକାଶକଳ୍ପେ ତାଙ୍କର ପୃଷ୍ଠପୋଷକତା ଅବିସ୍ମରଣୀୟ।
ତାଙ୍କର ଅସାଧାରଣ ପାଣ୍ଡିତ୍ୟ ପାଇଁ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅଧୂଷ୍ଠିତ ହୋଇଥିଲେ। ସିଏ ପାରଳାଠାରେ ଅନୁଷ୍ଠିତ ଉତ୍କଳ ସମ୍ମୁଳନୀ ଦଶମ ଅଧିବେଶନର ସମ୍ମାନାସ୍ପଦ ସଭାପତି ଆସନ ଅଳଙ୍କୃତ କରିଥିଲେ। ବହୁ ଲୋକହିତକର କାର୍ଯ୍ୟ ସହିତ ଓଡ଼ିଆ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ନିଜର ବଦାନ୍ୟପଣ ଓ ମହାନୁଭବତା ପ୍ରତିପାଦିତ କରିଥିଲେ। ଏହି ସ୍ୱାଭିମାନୀ, ସ୍ୱଜାତିପ୍ରେମୀ, ନିଷ୍ଠାପର ସାରସ୍ୱତ ସାଧକ ଆମ ଜାତିର ଚିରନମସ୍ୟ।
ସାହିତ୍ୟ ସମ୍ରାଟ୍ଙ୍କ ଉଲ୍ଲେଖନୀୟ ରଚନାବଳୀ : ଭଗବଦ୍ଗୀତା ମାହାତ୍ମ୍ୟ, ସଙ୍ଗୀତ ରାଧାମାଧବ ନାଟକ, ଶ୍ରୀ ଗୋବିନ୍ଦ ମଞ୍ଜରିକାବଳୀ, ସରସ ଗୀତାବଳୀ, ଯଜୁର୍ବେଦୀୟ ସନ୍ଧ୍ୟା ପ୍ରୟୋଗ, କାଦମ୍ବରୀ କଥାସାର, ଭକ୍ତିରନ୍ମାଳିକା, ଋତୁବର୍ଣନା, ବୁଦ୍ଧଚରିତ ନାଟକ, ଉତ୍କଳ କୁନ୍ଦମାଳା ନାଟକ ଇତ୍ୟାଦି। ସେହିପରି ଜୟପୁର ପୂଜ୍ୟପୂଜା ସଂସଦ ଜୟପୁର ତରଫରୁ ମାସିକ ସାହିତ୍ୟ ଟୁଙ୍ଗି ଓ କବିତା ପାଳିତ ହୋଇଯାଇଛି। ସ୍ଥାନୀୟ ସରସ୍ୱତୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲକ୍ଷ୍ମୀ ନଗର ପରିସରରେ ସଂସଦର ସଭାପତି ଶ୍ରୀ ଉଦୟ ଶଙ୍କର ଜାନୀ ଙ୍କ ଅଧ୍ୟକ୍ଷତାରେ ଉକ୍ତି କାର୍ଯ୍ୟକ୍ରମରେ ସଂସଦର ଉପସଭାପତି ତପନ କିରଣ ତ୍ରିପାଠୀ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କୁଇଜ୍ ଓ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଏଥିରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଅନେକ ଅଭିଭାବକ ମାନେ ଖୁବ ଆଗ୍ରହ ର ସହ ଉପଭୋଗ କରୁଥିଲେ । ସସ୍ମିତା ନାୟକ ମୁଖ୍ୟ ଅତିଥି ସମସ୍ତ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମନୋଜ ପଣ୍ଡା,ଅନନ୍ତ ବିଜୟ ଧିବର, ସରସ୍ୱତୀ ସାହୁ ପ୍ରମୁଖ କବିତା ଆବୃତି କରିଥିଲେ। ସଂସଦ ର ସମ୍ପାଦକ ବୈରାଗୀ ଚରଣ ସାହୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆଜି ଶ୍ରୀ ବିକ୍ରମ ଦେବ ବର୍ମାଙ୍କ ୧୫୮ ତମ ଜୟନ୍ତୀ ଅବସରରେ ଜୟପୁର ଶ୍ରୀ ବିକ୍ରମ ସରକାରୀ ଚାରୁକଳା ଓ କାରୁକଳା ବିଦ୍ୟାଳୟ ରେ ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ସିମାଦ୍ରୀ ମହାରଣାଙ୍କ ହସ୍ତ ନିର୍ମିତ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତିକୁ ଉକ୍ତ କଳା ଅନୁଷ୍ଠାନ ର ପୂରାତନ ଏବଂ ନୂତନ ଶିକ୍ଷାରତ ଛାତ୍ର ତଥା ଆଲୁମିନିୟମଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଗଲା। ଏହି କାର୍ଯ୍ୟକ୍ରମରେ ସଭାପତି- ଶ୍ରୀକାନ୍ତ ବାରିକ, କାର୍ଯ୍ୟକାରୀ ସଭାପତି - ସୁରେଶ କୁମାର ନାୟକ, ସମ୍ପାଦକ - ପଦ୍ମଚରଣ ଚୌଧୁରୀ, ଉପ ସଭାପତି -ଲୋକନାଥ ବେହେରା , ସହ ସମ୍ପାଦକ - ରାଜେନ୍ଦ୍ର କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ - ଦୀପକ କୁମାର ଦାସ ଙ୍କ ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
ସେହିପରି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ମହାନ ଶିକ୍ଷାନୁରାଗୀ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ୧୫୮ତମ ଜୟନ୍ତୀ ଆଜି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନସ୍ଥିତ ଅଧ୍ୟାପନା କକ୍ଷ–୨ରେ ଗରିମାର ସହ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ ହୋଇଥିଲା। ବି.ଏଡ୍. ବିଭାଗର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଓଡ଼ିଶା ରାଜ୍ୟ ସଙ୍ଗୀତ ଗାନ କରାଯାଇଥିଲା।
ବିଶ୍ୱବିଦ୍ୟାଳୟର କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସିପିଜିସିର ନିର୍ଦ୍ଦେଶକ ଡ଼. ପ୍ରଶାନ୍ତ କୁମାର ପାତ୍ର ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଶିକ୍ଷା ଦର୍ଶନ ଏବଂ ବିଶ୍ୱବିଦ୍ୟାଳୟ ସ୍ଥାପନାରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀକାନ୍ତ ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଜର୍ଷିଙ୍କ ଜୀବନ, ସାହିତ୍ୟ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବିସ୍ମରଣୀୟ ଅବଦାନ ଉପରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ତାଙ୍କ ଅଭିଭାଷଣରେ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଶିକ୍ଷା ପ୍ରତି ଦୂରଦୃଷ୍ଟି ଓ ସମାଜ ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।
ସଭାରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ତାଙ୍କ ଅଭିଭାଷଣରେ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଆଦର୍ଶକୁ ଅନୁସରଣ କରି ଶିକ୍ଷା, ଗବେଷଣା, ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି