
ଜୟପୁର, ୨୯ ଜୁନ୍ (ହି.ସ.)- ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁରକୁ ମହାବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ସହ ଯଥାଶିଘ୍ର ସ୍ନାତକ ଆରମ୍ଭ କରିବା ଏବଂ ପ୍ଲାଟିନମ୍ ଜୁବୁଲି ପାଳନ, ସ୍ଥାୟୀ ଶିକ୍ଷକ ଓ ଅଣ ଶିକ୍ଷକ ନିଯୁକ୍ତି, ଶିଘ୍ର ୫ ଏକର ଜଗାକୁ ପଟ୍ଟା ପ୍ରଦାନ କରି ମହାବିଦ୍ୟାଳୟ ପାଇ କୋଠା ନିର୍ମାଣ କରିବା, ସ୍ୱତନ୍ତ୍ର ଭାବରେ ବାଳକ ଓ ବାଳିକାଙ୍କ ଛାତ୍ରବାସ ନିର୍ମାଣ କରିବା, ବିଦ୍ୟାଳୟ ଚାରିପଟେ ହୋଇଥିବା ଜବର ଦଖଲ ଉଛେଦ କରିବା ଆଦି ଦାବିରେ ପୂର୍ବ ଛାତ୍ର ସଂଘ ତରଫରୁ ଶାନ୍ତିପୁଣ୍ଣ ଧାରଣା ଆଜି ଦିଆଯାଇଛି । ଶ୍ରୀ ବିକ୍ରମ ଚାରୁ କଳା ବିଦ୍ୟାଳୟ ପରିସରରେ ଏହି ଧାରଣା ଦିଆଯାଇଛି । ପୂର୍ବ ଛାତ୍ର ସଂଘ କଳା ବିଦ୍ୟାଳୟ ଜୟପୁର ତରଫରୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଓଡିଶାର ପୁରାତନ ଓ ସର୍ବ ପ୍ରଥମ କଳା ବିଦ୍ୟାଳୟ ଭାବରେ ଜୟପୁର ତତ୍ କାଳୀନ ମହାରାଜା ଶ୍ରୀ ବିକ୍ରମ ଦେବ ବର୍ମାଙ୍କ ଦ୍ୱାରା ୧୯୪୬ ମସିହାରେ ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ, ଜୟପୁରରେ ଓଡିଶାର ପରିଚୟ ଚିତ୍ରକଲା ଭାସ୍କର୍ଯ୍ୟ ତଥା କାରୁକଳା ଶିକ୍ଷାର ପ୍ରସାର ପାଇଁ ସ୍ଥାପନ କରାଯାଇଥିଲା । ଦୁଃଖର ବିଷୟ ଦୀର୍ଘ ୮୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହୋଇ ପାରିଲା ନାହିଁଁ । ଦୀର୍ଘ ଦିନରେ ସଂଘର୍ଷ ପରେ ଗତ ଅକ୍ଟୋବର ୨୦୨୨ ମସିହାରେ ସରକାର ଏହି ବିଦ୍ୟାଳୟକୁ ଡିଗ୍ରୀ ମାନ୍ୟତା ପ୍ରଦାନ କରି ନଥି ସଂଖ୍ୟା ୪୧୯୫ ଗତ ୨୬ା୧୦ା୨୦୨୨ ରେ ମାନ୍ୟତା କେବଳ କାଗଜ ନଥିପତ୍ର ରେ ହିଁ ସମିତ ହୋଇ ରହିଗଲା । ଦକ୍ଷିଣ ଓଡିଶାର ଅନେକ ଗରିବ ଶ୍ରେଣୀର ପ୍ରତିଭାବାନ କଳା ଶିକ୍ଷା ଆଗ୍ରହୀ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରେ ଦ୍ୱାଦଶ ପରେ ଆର୍ଥକ ଅନାଟକ ଯୋଗୁଁ ଉଚ୍ଚ ଶିକ୍ଷା ନିମନ୍ତେ ସୁଦୂର ଖଲ୍ଲିକୋଟ କିମ୍ବା ଭୁବନେଶ୍ୱର ଯାଇ ପାରୁ ନାହାଁନ୍ତି । କଳା ବିଦ୍ୟାଳୟ ସ୍ଥାପନ ହୋଇ ଦୀର୍ଘ ୮୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏ ପ୍ଲାଟିନମ୍ ଜୁବୁଲି ପାଳନ କରାଯାଇ ପାରିନାହିଁ । ଯାହାକି ସରକାର ୨୦୨୩ ମସିହାରେ ୧୫ ଲକ୍ଷ ଟଙ୍କା ଉକ୍ତ କାର୍ଯ୍ୟକ୍ରମ କରିବା ନିମନ୍ତେ ଅନୁଦାନ ଦେଇଛନ୍ତି । ଦକ୍ଷିଣ ଓଡିଶାର ଆଗାମୀ ଭବିଷ୍ୟତରେ କଳାଶିକ୍ଷା ନିମନ୍ତେ ଛାତ୍ର ଛାତ୍ରୀଙ୍କ ଉନ୍ନତି ପାଇଁ କଳା ବିଦ୍ୟାଳୟର ପୁବ ଛାତ୍ର ସଂଘ ତରଫରୁ କଳା ବିଦ୍ୟାଳୟ ସମ୍ମୁଖରେ ଆଜି ସକାଳ ୧୦ ଟାରୁ ଅପରାହ୍ନ ୪ଟା ଯାଏ ଶାନ୍ତିପୁଣ୍ଣ ଧାରଣା ଦିଆଯାଇଛି । ଉପ ଜିଲାପାଳଙ୍କ କାଯ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲ।
ଧାରଣା ସ୍ଥଳରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବୁଝା ସୁଝା କରିବା ସହ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣାରୁ ଓହରିଥିଲେ । ସଭାପତି ଶ୍ରୀକାନ୍ତ ବାରିକ, ସମ୍ପାଦକ ପଦ୍ମ ଚରଣ ଚୈଧୁରି, ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦିପକ ଦାସ, ସୁରେଶ କୁମାର ନାୟକ, ମନୋଜ ମହାପାତ. କ୍ରିଷ୍ଣା ପାଙ୍ଗୀ ପ୍ରମୁଖ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି