
ସମ୍ବଲପୁର, ୨୯, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପରିସରସ୍ଥ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୧୦ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା ଅଭିଯୋଗକାରୀ ନିଜ ନିଜ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ଉପସ୍ଥାପନ କରିଥିଲେ। ଶିବିରରେ ମୋଟ ୭୨ଟି ମଧ୍ୟରୁ ବ୍ୟକ୍ତିଗତ ୫୩ଟି ଏବଂ ୧୯ଟି ଗୋଷ୍ଠୀଗତ ଅଭିଯୋଗ ଦାଖଲ ହୋଇଥିଲା। ଆବାସ ଯୋଜନାରେ ଘର, ରାସନ କାର୍ଡ, ସାମାଜିକ ସୁରକ୍ଷା ଭତା, ପାନୀୟ ଜଳ, ବିଦ୍ୟୁତ ସମସ୍ୟା ଓ ସ୍ୱଚ୍ଛତା ସମ୍ପର୍କିତ ଅଭିଯୋଗ ସର୍ବାଧିକ ଥିଲା। ତେବେ ଜିଲ୍ଲାପାଳ ଆଜିର ଶିବିରକୁ ଆସିନଥିବାରୁ ତାଙ୍କୁ ସିଧାସଳଖ ଭାବେ ଅଭିଯୋଗ ଜଣାଇବା ଆଶାରେ ଆସିଥିବା ବହୁ ଲୋକ ନିରାଶ ହୋଇ ଅଭିଯୋଗ ଦାଖଲ ନ କରି ଫେରିଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କ୍ରମାଗତ ଭାବେ ଆଜିର କାର୍ଯ୍ୟକ୍ରମକୁ ମିଶାଇ ଚତୁର୍ଥ ଥର ପାଇଁ ଜିଲ୍ଲାପାଳ ଜନଶୁଣାଣି ଶିବିରରେ ଅନୁପସ୍ଥିତ ରହିଥିଲେ । ଯାହାକୁ ନେଇ ସାଧାରଣ ଜନତା ଓ ଅଭିଯେଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ