
ଭୁବନ, ୨୯ ଜୁନ୍ (ହି.ସ.)- ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତିର ସହ ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପ୍ରାତଃ ୫ଟାରେ ଦେଉଳ ଫିଟା, ୫.୩୦ ରେ ମଙ୍ଗଳ ଆଳତୀ, ୫.୪୫ ରେ ଜୟ ବିଜୟ ପୂଜା କରାଯାଇ ସକାଳ ୬ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ସକାଳ ୭ଟା ସମୟରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା ଓ ସକାଳ ୭.୩୦ ରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ୧୨ଟାରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ସନ୍ଧ୍ୟା ୬.୩୦ ରେ ସନ୍ଧ୍ୟା ଆଳତି କରାଯିବା ପରେ ୭ଟା ସମୟରେ ମହାପ୍ରଭୁଙ୍କୁ ଅଣସର ବିଜେ କରାଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିବା, ସନ୍ଧ୍ୟାଧୂପ, ଆଳତୀ ଦେଖିବାକୁ ସହସ୍ରାଧିକ ଭକ୍ତଙ୍କ ଗହଳି ଲାଗିଥିଲା ।
ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ରଙ୍କ ତତ୍ତ୍ଵାବଧାନରେ ସମସ୍ତ ସେବାୟତଙ୍କ ସମେତ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ, ମନ୍ଦିର ପରିଚାଳନା କମିଟି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଉପସ୍ଥିତିରେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ