
ଚମ୍ପୁଆ, ୨୯ ଜୁନ୍ (ହି.ସ.) - ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଚମ୍ପୁଆ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ଶ୍ରୀଜିଉମାନଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି କାନ୍ତି ଅତି ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି।
ପ୍ରାତଃ ସମୟରେ ଶତାଧିକ ଭକ୍ତ ନିଷ୍ଠା, ଏକାଗ୍ରତା ସହିତ ପୁଣ୍ୟତୋୟା ବୈତରଣୀ ନଦୀରୁ ଜଳାଭିଶେକ କରି ଲମ୍ବା ଲାଇନରେ ଚାଲିଚାଲି ଆସିଥିଲେ। ହରିବୋଲ, ହୁଳହୁଳି ଘଂଟା ଘଂଟା ଶବ୍ଦ ସହିତ ଜୟ ଜଗନ୍ନାଥ ଧ୍ୱନିରେ ସାରା ଅଂଚଳ ପ୍ରକମ୍ପିତ ହୋଇଥିଲା। ସ୍ନାନ ମଣ୍ଡପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ନୂତନ ବସ୍ତ୍ର ପରିଧାନ କରାଯାଇ ମହାପ୍ରଭୁଙ୍କୁ ଗଜାନନ ବେଶ ଧାରଣ କରାଯିବା ପରେ ସମସ୍ତ ପାରମ୍ପରିକ ନୀତି ଅନୁଷ୍ଠିତ ହୋଇଥିଲା।
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଓ ତାଙ୍କ ସହଧର୍ମିଣୀ ଉପସ୍ଥିତ ରହି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ତଦାରଖ କରିଥିଲେ। ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta