

ବଲାଙ୍ଗିର, ୨୯ ଜୁନ୍(ହି.ସ.) – ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡ଼ାସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଶ୍ରୀ ଜୀଉମାନଙ୍କର ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ସକାଳ ଘ.୧୦ରୁ ଜୀଉମାନଙ୍କର ମହାସ୍ନାନ ଆରମ୍ଭ ହୋଇଥିଲା। କର୍ତା ଭାବରେ ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ ଚାନ୍ଦଙ୍କ ପୁତ୍ର ଆଲୋକ ଚାନ୍ଦ ଓ ତାଙ୍କ ସହଧର୍ମିଣୀ ଦିପ୍ତିମୟୀ ଚାନ୍ଦ ଶ୍ରୀ ଜୀଉମାନଙ୍କୁ ୧୦୮ କଳସ ସୁବାଷିତ ଜଳ ଢାଳି ରୀତିନୀତିରେ ସ୍ନାନଯାତ୍ରା ସମାପନ କରିଥିଲେ। ସନ୍ଧ୍ୟା ଘ.୫ରୁ ଶ୍ରୀ ଜୀଉମାନଙ୍କର ହାତୀ ବେଶ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ହାତୀ ବେଶରେ ସଜାଇ ଥିଲେ ନିମାଇଁ ଚରଣ ହାତୀ, ଦ୍ୱିଜରାମ ମିଶ୍ର, ସତ୍ୟନାରାୟଣ ଶତପଥି। ଗଜାନନ ବେଶରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଜଣା ଅଜଣାରେ ଅର୍ଜିତ ସମସ୍ତ ପତକ ଖଣ୍ଡନ ହୋଇ କୋଟି ପୁଣ୍ୟଫଳ ମିଳୁଥିବାର ବିଶ୍ୱାସ ରହିଛି। ଏଣୁ ରାତ୍ର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ହାତୀବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଏହି ଅବସରରେ କମିଟି ପକ୍ଷରୁ ସଂକିର୍ତନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଧିର ଚାନ୍ଦ, ଦୀପକ ଚାନ୍ଦ, ରାଜିବ ମିଶ୍ର, ପଦ୍ମଲୋଚନ ଯୋଷୀ, ରଂଜିତ ପଣ୍ଡା, ମହେନ୍ଦ୍ର ବାଗ, ଛାୟାକାନ୍ତ ସାହୁ, ଶିବ ଶଙ୍କର ନାୟକ, ସମ୍ବିତ ପତି, ଅଶୋକ ଚାନ୍ଦ, ଅନିଲ ଠାକୁର, ବୁଲୁ ବେହେରା, ଚନ୍ଦନ ସରକାର, ଜୟକୃଷ୍ଣ ପଟେଲ ଓ ମନ୍ଦିର ପୂଜକ ବିଛନ୍ଦ୍ର ମିଶ୍ର ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ