
ସାଲେପୁର, ୨୯ ଜୁନ୍ (ହି.ସ.)- ନିଶ୍ଚିନ୍ତକୋଇଲି ପଂଚାୟତ ୭ ନମ୍ବର ୱାର୍ଡ ନିଶ୍ଚିନ୍ତକୋଇଲି ଗ୍ରାମର ଗୁଡିଆସାହି ଗ୍ରାମ୍ୟ ରାସ୍ତାକୁ ଠିକାଦାର ଖୋଳିଦେଇ ଏକ ମାସ ହେବ ଛୁ ମାରିଛି । ଯାତାୟାତ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲା ବେଳେ ପ୍ରଶାସନ ଉପରେ ଅତିଷ୍ଠ ହୋଇପଡିଛନ୍ତି । କେନ୍ଦୁପାଟଣା ଜଳସେଚନ ବିଭାଗ ଅଧିନରେ ଥିବା ୮(ଇ)୧ କେନାଲକୁ ଦୀର୍ଘ ଦିନ ହେବ କଂକ୍ରିଟ ଲାଇନିଂ କରାଯାଉଛି । ଏହି କେନାଲ ଉପରେ ଦେଇ ନିଶ୍ଚିନ୍ତକୋଇଲି ଗୁଡିଆସାହିର ମୁଖ୍ୟ ରାସ୍ତାଟି ଲଳିତଗିରି-ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ବେଲେଶ୍ୱରୀ ଠାକୁରାଣୀ ମନ୍ଦିର ନିକଟରେ ସଂଯୋଗ କରିଛି । ଏହି କେନାଲ ଲାଇନିଂ କାର୍ଯ୍ୟ ଚାଲିଥିଲା ବେଳେ ଠିକାଦାର ଜଣକ ଏହି ରାସ୍ତାର କେନାଲ ଉପରେ ଥିବା କଲଭର୍ଟକୁ ଭାଙ୍ଗି ଦେଇଥିବା ବେଳେ ରାସ୍ତାର କିଛି ଅଂଶକୁ ତାଡି ଦେଇ ଉଭୟ ପାଶ୍ୱର୍ରେ ମାଟି ଗଦା କରି ରାସ୍ତା ସଂପୂର୍ଣ୍ଣ ବନ୍ଦ୍ କରିଦେଇଛି । ତୁରନ୍ତ ଏହି କଲଭର୍ଟ କାର୍ଯ୍ୟ ଶେଷ କରିବା ପାଇଁ ଗ୍ରାମବାସୀମାନେ ଜଳସେଚନ ବିଭାଗ ଠିକାଦାରଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଗ୍ରାମରେ ୩୦ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ଠିକାଦାର ରାସ୍ତା ମାଟି ପକାଇ ବନ୍ଦ୍ କରିଦେଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତା ପାଶ୍ୱର୍ରେ ନିଶ୍ଚିନ୍ତକୋଇଲିର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିର୍ବାଣ’ ର ମୁଖ୍ୟ କାର୍ଯ୍ୟାଳୟ ରହିଥିଲା ବେଳେ ବହୁ ଲୋକ ଏଠାକୁ ବିଭିନ୍ନ କାର୍ଯ୍ୟରେ ଆସିଥାଆନ୍ତି । ହେଲେ ରାସ୍ତାର ଅବସ୍ଥା ଏଭଳି ହୋଇଥିବାରୁ ବହୁ ଲୋକ ଏଠାକୁ ଆସିପାରୁନଥିବା ଦେଖାଯାଇଛି । ଏହାଛଡା ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଗ୍ରାମବାସୀ ବେଲେଶ୍ୱରୀ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଥିବା ବେଳେ ପାଖରେ ଥିବା ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟକୁ ବହୁ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଯାତାୟାତ କରିଥାଆନ୍ତି । ଏହାଛଡା ନିଶ୍ଚିନ୍ତକୋଇଲି ବଜାର ଓ ହାଟକୁ ଯିବା ପାଇଁ ପ୍ରତେକ ଦିନ ବହୁ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିଲା ବେଳେ ଜରୁରୀକାଳିନ ପରିସ୍ଥିତିରେ ଏହି ରାସ୍ତା ଦେଇ ଦମକଳ ଓ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ଆସିଥାଏ । ବିଗତ ୧ ମାସ ହେବ ରାସ୍ତା ଅବରୋଧ କରାଯାଇଥିବାରୁ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ଯିବା ପାଇଁ ଅସୁବିଧା ଭୋଗ କରୁଥିଲା ବେଳେ ଗ୍ରାମବାସୀମାନେ ମା’ ବେଲେଶ୍ୱରୀଙ୍କୁ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିବାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ଉକ୍ତ ରାସ୍ତାରେ ନୂତନ କଲଭର୍ଟ ନିର୍ମାଣ କରାଯିବା ସହ ରାସ୍ତା ଅବରୋଧକୁ ହଟାଇବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍