
ଝାରସୁଗୁଡ଼ା, ୨୯ ଜୁନ୍ (ହି.ସ.)- ଝାରସୁଗୁଡ଼ା ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନା ଏକ ଅନଲାଇନ ଠକେଇ ମାମଲାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବେଲପାହାଡ଼ସ୍ଥିତ ଏକ କମ୍ପାନୀକୁ ଟେକ୍ନିକାଲ୍ ଗ୍ରେଡ୍ ୟୁରିଆ ଯୋଗାଣ ନାଁରେ ୭ ଲକ୍ଷ ୨ ହଜାର ଟଙ୍କା ଠକେଇ କରାଯାଇଥିଲା। ପୁଲିସର ତ୍ୱରିତ ପଦକ୍ଷେପ ଫଳରେ ସମ୍ପୂର୍ଣ୍ଣ ରାଶି ଫେରସ୍ତ କରାଯାଇଛି।
ଅଭିଯୋଗ ଅନୁଯାୟୀ, ପୀଡ଼ିତ କମ୍ପାନୀ ଟ୍ରେଡ ଇଣ୍ଡିଆ ପୋର୍ଟାଲରେ ପ୍ରକାଶିତ ଏକ ବିଜ୍ଞାପନ ମାଧ୍ୟମରେ। ଶ୍ରୀ ରାଧେ କେମିକାଲ ର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତ ଜିଏସ୍ଟିଆଇଏନ୍ ଏବଂ ନକଲି ଇ-ୱେ ବିଲ୍ ଦେଖାଇ ବିଶ୍ୱାସ ଜିତିବା ପରେ ୭,୦୨,୦୦୦ ଟଙ୍କା ନେଇଥିଲେ। କିନ୍ତୁ ପରେ ସାମଗ୍ରୀ ଯୋଗାଣ କରିନଥିଲେ କିମ୍ବା ଟଙ୍କା ମଧ୍ୟ ଫେରାଇ ନଥିଲେ।
୨୮ ଜୁନ ୨୦୨୬ରେ ଅଭିଯୋଗ ମିଳିବା ପରେ ଝାରସୁଗୁଡ଼ା ସାଇବର ପୁଲିସ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ମାଧ୍ୟମରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ସହ ଦ୍ରୁତ ସମନ୍ୱୟ ଫଳରେ ଠକେଇ ହୋଇଥିବା ସମ୍ପୂର୍ଣ୍ଣ ୭,୦୨,୦୦୦ ଟଙ୍କାକୁ ହୋଲ୍ଡ କରାଯାଇ ପୀଡ଼ିତଙ୍କୁ ଶତପ୍ରତିଶତ ଫେରସ୍ତ କରାଯାଇଛି। ଏହି ମାମଲାର ଅଭିଯୋଗ ଏନ୍ ସି ଆର୍ ପି ଏକନଲେଜମେଣ୍ଟ ନମ୍ବର ୩୨୪୦୬୨୬୦୦୨୦୬୩୩ ୩୨୪୦୬୨୬୦୦୨୦୬୩୫ ଅନୁଯାୟୀ ପଞ୍ଜୀକୃତ ହୋଇଛି। ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ତଦନ୍ତ ଜାରି ରହିଛି। ଝାରସୁଗୁଡ଼ା ପୁଲିସ ସାଧାରଣ ଲୋକଙ୍କୁ ଅନଲାଇନରେ କୌଣସି ସାମଗ୍ରୀ କ୍ରୟ ପୂର୍ବରୁ ବିକ୍ରେତାଙ୍କର ପରିଚୟ ଓ ବିଶ୍ୱସନୀୟତା ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। କୌଣସି ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ହେଲ୍ପଲାଇନ୍କୁ ଫୋନ୍ କରିବା କିମ୍ବା www.cybercrime.gov.in ପୋର୍ଟାଲରେ ଅଭିଯୋଗ ଦାଖଲ କରିବାକୁ ପୁଲିସ ଅନୁରୋଧ କରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ