
କନ୍ଧମାଳ, ୨୯ ଜୁନ୍(ହି.ସ.) – କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହା ସମାରୋହରେ ପାଳିତ ହୋଇଛି ମହାପ୍ରଭୁଙ୍କ ସମେତ ତିନି ଠାକୁରଙ୍କ ସ୍ନାନଯାତ୍ରା। ଜ୍ୟୋଷ୍ଠମାସ ପୂର୍ଣ୍ଣିମା ପ୍ରଭୁ ଜଗନ୍ନାଥଙ୍କ ଜନ୍ମ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ। ଆଜି ପ୍ରାତଃରୁ ସମସ୍ତ ନୀତିକାନ୍ତି ପରେ ମଙ୍ଗଳ ଆଳତୀ ଶେଷ ହେବାପରେ ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦିକୁ ସେବକ ଗହଣରେ ବିଜେ କରିଥିଲେ ଦାରୁବ୍ରହ୍ମ। ୧୦୮ କଳସର ସୁବାସିତ ଜଳରେ ପ୍ରଥମେ ବଳଭଦ୍ରଙ୍କୁ ୩୩ ପରେ ଜଗନ୍ନାଥଙ୍କୁ ୩୫ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗରାରେ ସ୍ନାନ କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନଦିଆ କୀର୍ତନରେ ପରିସର ପ୍ରକମ୍ପିତ ହେଉଥିବାବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ମଧ୍ୟ ପ୍ରବଳ ଥିଲା। ସ୍ନାନପରେ ଆକର୍ଷଣୀୟ ହାତୀବେଶରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ତିନି ଠାକୁର। ପୁରୋହିତ ବାଉରୀ ମିଶ୍ର ଓ ସନ୍ତୋଷ କର ଯୋଗ ଦେଇଥିବାବେଳେ କର୍ତା ଭାବେ ଅସୀମ ପ୍ରହରାଜ ଦାୟିତ୍ୱ ତୁଲାଇ ଥିଲେ। ପୂଜକ ତଥା ବଡ଼ପଣ୍ଡା ଶଙ୍କର ପାଢ଼ୀଙ୍କ ସମେତ ସିଦ୍ଧେଶ୍ୱର ଦାସ ଓ ଅନ୍ୟ ବ୍ରାହ୍ମଣମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଭିକାରୀ ସାହୁ, ସଭାପତି ସୁନାଶିର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ସମେତ ଶରତ କୁମାର ସାହୁ, ଶଙ୍କର ବେହେରା, ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ରଜତ କୁମାର ମହାନ୍ତି, ପ୍ରସନ କୁମାର ବିଷୋୟୀଙ୍କ ସମେତ ସେବକମାନେ ଉପସ୍ଥିତ ରହି ଚତୁର୍ଦ୍ଧାମୂର୍ତିଙ୍କ କୃପା ଲାଭ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ