
ବଲାଙ୍ଗୀର, ୨୯ ଜୁନ୍(ହି.ସ.) – ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପରିସରରେ ଥିବା ପରିସଂଖ୍ୟାନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉତ୍ସବରେ ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ଚାରଣ କରାଯିବା ସହ ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଗୁରୁତ୍ୱ ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।
ଏହି ସମାରୋହରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସହାୟକ ପ୍ରଧ୍ୟାପକ ଡଃ ଗଣପତି ମେଣ୍ଡଲୀ ଏବଂ ପରିସଂଖ୍ୟାନ ବିଭାଗର ପ୍ରାଧ୍ୟାପିକା ଡଃ ଚକ୍ରଲା ଶ୍ରୀଲତା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ପ୍ରାଥମିକ ତଥ୍ୟ ସଂଗ୍ରହ ବେଳେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ଏହାର ଆଶୁ ସମାଧାନର ସୂତ୍ର ଉପରେ ସେମାନେ ପ୍ରେଜେଂଟେସନ ମାଧ୍ୟମରେ ତଥ୍ୟ ଭିତିକ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା ଯୋଗଦେଇ କୃଷି ବିଭାଗ ସହ ପରିସଂଖ୍ୟାନର ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରିବା ସହ ତଥ୍ୟ ସଂଗ୍ରହ ବେଳେ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ଅଙ୍କିତ କୁମାର ମହାକୁର ଏହି ଦିବସର ତାତ୍ପର୍ଯ୍ୟ ଏବଂ ସହାୟକ ନିର୍ଦ୍ଦେଶକ ସୁନ୍ଦରମୋହନ ଖଣ୍ଡେଇ ପ୍ରଫେସର ମହାଲନୋବିସ୍ଙ୍କ ଜୀବନୀ ଓ ପରିସଂଖ୍ୟାନର ଉପକାରିତା ବିଷୟରେ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ତର୍କ ଓ ପ୍ରଶ୍ନୋତର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାସହ ଉପସ୍ଥିତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ ସହାୟକ ନିର୍ଦ୍ଦେଶିକା(ଯୋଜନା) ସୁଶ୍ରୀ ସୋନାଲୀ ସୁଚିସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଷୟବସ୍ତୁ ବିଶେଷଜ୍ଞ ଲଳିତ ରଞ୍ଜନ ମହାପାତ୍ର ମଂଚ ପରିଚାଳନା କରିଥିଲେ। ଏହି ସଭାରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ଛାତ୍ରଛାତ୍ରୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ