ଧାନ ଉଠାଣ ଦାବିରେ ଧାନ ବସ୍ତା ରଖି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ ଓ ପ୍ରତିବାଦ
ନୂଆପଡ଼ା, ୨୯ ଜୁନ (ହି.ସ.)- ଧାନ ଉଠାଣରେ ବିଳମ୍ବ ଏବଂ ତୁରନ୍ତ ଧାନ କ୍ରୟ ଦାବିରେ ଆଜି ଖଡ଼ିଆଳ ସହରର ବ୍ଲକ ଛକ ନିକଟରେ ୩୫୩ ନଂ ଜାତୀୟ ରାଜପଥକୁ ଚାଷୀ ମାନେ ଧାନ ବସ୍ତା ରଖି ଅବରୋଧ କରି ପ୍ରତିବାଦ କରିଛନ୍ତି। ଶତାଧିକ ଚାଷୀ ରାଜପଥକୁ ଅବରୋଧ କରି ସରକାର ଓ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇ ତୁରନ୍ତ
Chashi nka rastarok


ନୂଆପଡ଼ା, ୨୯ ଜୁନ (ହି.ସ.)- ଧାନ ଉଠାଣରେ ବିଳମ୍ବ ଏବଂ ତୁରନ୍ତ ଧାନ କ୍ରୟ ଦାବିରେ ଆଜି ଖଡ଼ିଆଳ ସହରର ବ୍ଲକ ଛକ ନିକଟରେ ୩୫୩ ନଂ ଜାତୀୟ ରାଜପଥକୁ ଚାଷୀ ମାନେ ଧାନ ବସ୍ତା ରଖି ଅବରୋଧ କରି ପ୍ରତିବାଦ କରିଛନ୍ତି। ଶତାଧିକ ଚାଷୀ ରାଜପଥକୁ ଅବରୋଧ କରି ସରକାର ଓ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇ ତୁରନ୍ତ ଧାନ ଉଠାଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।

ଚାଷୀମାନଙ୍କ କହିବା ଅନୁସାରେ, ମଣ୍ଡିରେ ଦୀର୍ଘଦିନ ଧରି ଧାନ ପଡ଼ି ରହିଥିବାରୁ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁଁ ଧାନ ନଷ୍ଟ ହେବାର ଆଶଙ୍କା ମଧ୍ୟ ବଢ଼ିଛି। ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଧାନ ଗଜା ହୋଇଯାଇଛି। ତେଣୁ ବିଳମ୍ବ ନକରି ଧାନ ଉଠାଣ ଆରମ୍ଭ କରିବାକୁ ଦାବି କରିଥିଲେ। ଖଡ଼ିଆଳ ବ୍ଲକର ୯ ଗୋଟି ମଣ୍ଡି ଖଡ଼ିଆଳ ବିଜେପୁର ମଣ୍ଡିରେ ୫୮୮ ଜଣ ଚାଷୀଙ୍କ ୬୫,୨୦୦ ବସ୍ତା ଧାନ, ଅରେଡା ମଣ୍ଡିରେ ୨୮୬ ଜଣ ଚାଷୀଙ୍କ ୨୯,୧୪୬ ବସ୍ତା ଧାନ, ଡୁଆଝର ମଣ୍ଡିରେ ୧୫୨ ଜଣ ୧୭,୨୦୬ ବସ୍ତା ଧାନ, ଭୋଜପୁର ମଣ୍ଡିରେ ୨୦୫ ଜଣ ଚାଷୀଙ୍କ ୨୨୦୦୦ ବସ୍ତା ଧାନ, ଲାଞ୍ଜି ମଣ୍ଡିରେ ୧୯୯ ଜଣ ଚାଷୀଙ୍କ ୨୩୩୧୫ ବସ୍ତା ଧାନ, ସାନମହେଶ୍ୱର ମଣ୍ଡିରେ ୨୪୦ ଜଣ ଚାଷୀଙ୍କ ୩୦୦୫୦ ବସ୍ତା ଧାନ, ବରଗାଁ ମଣ୍ଡିରେ ୩୩୧ ଜଣ ଚାଷୀଙ୍କ ୩୩୩୨୧ ବସ୍ତା ଧାନ, ଖୁଦପେଜ ମଣ୍ଡିରେ ୨୫୫ ଚାଷୀଙ୍କ ୨୬୨୨୭ ବସ୍ତା ଧାନ ଓ ତୁକଲା ମଣ୍ଡିରେ ୨୯୭ ଜଣ ଚାଷୀଙ୍କ ୨୯୩୨୫ ବସ୍ତା ଧାନ ବିକ୍ରି ଅପେକ୍ଷାରେ ରହିଛି। ଯାହାଫଳରେ ଚାଷୀ ମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରି ନପାରି ନିରାଶରେ ଅଛନ୍ତି। ଏହି ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି। ଆଜି ସକାଳ ୮ଟା ସମୟରୁ ଆନ୍ଦୋଳନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଯାହାଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଡବା, ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଥାନାଧିକାରୀ ସୁମନ୍ତ କୁମାର ନାଏକଙ୍କ ସହ ଅନ୍ୟାନ୍ୟ ପୋଲିସ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ସୂଚନା ମିଳିଛି। ପ୍ରଶାସନ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ଦେବା ପରେ ମଧ୍ୟ ଚାଷୀ ମାନେ ପ୍ରଶାସନର ପ୍ରତିଶୃତିକୁ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି। ଯାହାଫଳରେ ଜିଲ୍ଲାପାଳଙ୍କ ପ୍ରତିଶୃତି ପାଣିର ଗାର ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଆସନ୍ତା ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

ସେହିପରି ଖଡ଼ିଆଳ ବ୍ଲକର ଖଡ଼ିଆଳ କଣ୍ଟାବାଞ୍ଜି ରାଜପଥର ଅରେଡ଼ା ଛକ ଠାରେ ମଧ୍ୟ ଶତାଧିକ ଚାଷୀ ରାଜପଥକୁ ଅବରୋଧ କରି ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଆଜିର ଆନ୍ଦୋଳନରେ କଂଗ୍ରେସ ଓ ବିଜେଡ଼ିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande