ଭଦ୍ରକ ଇସ୍କନ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା
ଭଦ୍ରକ, ୨୯ ଜୁନ୍ (ହି.ସ.) - ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଦ୍ରକ ମୁନିସିପାଲଟି ୱାର୍ଡ ନଂ–୧୫ ସ୍ଥିତ ଇସ୍କନ ମନ୍ଦିରରେ ଶ୍ରୀଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ପବିତ୍ର ସ୍ନାନ ଉତ୍ସବ ଆଡମ୍ବରପୂର୍ଣ୍ଣ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମଙ୍ଗଳ ଆରତି, ପୂ
ISKAN MANDIRA DEBASNANA PURNIMA


ଭଦ୍ରକ, ୨୯ ଜୁନ୍ (ହି.ସ.) - ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଦ୍ରକ ମୁନିସିପାଲଟି ୱାର୍ଡ ନଂ–୧୫ ସ୍ଥିତ ଇସ୍କନ ମନ୍ଦିରରେ ଶ୍ରୀଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ପବିତ୍ର ସ୍ନାନ ଉତ୍ସବ ଆଡମ୍ବରପୂର୍ଣ୍ଣ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମଙ୍ଗଳ ଆରତି, ପୂଜାର୍ଚ୍ଚନା, ବେଦମନ୍ତ୍ର ଉଚ୍ଚାରଣ ଓ ହରିନାମ ସଂକୀର୍ତନ ମଧ୍ୟରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଶାସ୍ତ୍ରୋକ୍ତ ବିଧି ଅନୁଯାୟୀ ସୁବାସିତ ପବିତ୍ର ଜଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ସ୍ନାନ ପରେ ଠାକୁରମାନଙ୍କୁ ମନୋରମ ଗଜବେଶରେ ସଜ୍ଜିତ କରାଯାଇଥିଲା। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ସକାଳଠାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ସହ ମହାପ୍ରସାଦ ସେବନ କରିଥିଲେ। ପୁରାଣ ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯିବା ପରେ ସେ ଜ୍ୱରାକ୍ରାନ୍ତ ହୋଇ ଅଣସର ଗୃହରେ ୧୫ ଦିନ ବିରାଜମାନ କରନ୍ତି ବୋଲି ବିଶ୍ୱାସ ରହିଛି। ଏହା ପରେ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇ ପବିତ୍ର ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଥାନ୍ତି। ଏହି ପବିତ୍ର ଅବସରରେ ଇସ୍କନ ମନ୍ଦିର ପକ୍ଷରୁ ଭଜନ, କୀର୍ତନ, ଗୀତା ପାଠ ଓ ପ୍ରସାଦ ସେବାର ଆୟୋଜନ କରାଯାଇଥିଲା। ମନ୍ଦିରର ସେବାୟତ, ଭକ୍ତବୃନ୍ଦ ଏବଂ ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବରେ ମୁଖରିତ ହୋଇଉଠିଥିଲା। ଉତ୍ସବର ସୁଚାରୁ ପରିଚାଳନା ପାଇଁ ମନ୍ଦିର କମିଟିର ସଦସ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande