
ଜୟପୁର, ୨୯ ଜୁନ୍(ହି.ସ.) – ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି। ୧୦୮ ହାଣ୍ଡିର ଜଳ, ପଇଡ଼, ନଡ଼ିଆ ପାଣିରେ ଚତୁର୍ଦ୍ଧାମୂର୍ତି ସ୍ନାନ କରାଯାଇଥିଲା। ଚତୁର୍ଦ୍ଧାମୂର୍ତିଙ୍କୁ ଅନ୍ନ ଭୋଗଲାଗି କରାଯାଇ ରତ୍ନ ସିଂହାସନରୁ ଓହ୍ଲାଇ ଅଣାଯାଇଥିଲା। ସଂର୍କିତନ, ବାଜାରେ ଶ୍ରୀଜିଉ, ପିତତପାବନ, ସୁର୍ଦଶନଙ୍କୁ ସାଢ଼େ ୩ଟାରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ସେଠାରେ ସ୍ନାନପରେ ଗଜାନନବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତି। ସହରର ପରମ୍ପରା ଅନୁସାରେ ସୁନାରି ସାହି ବାସିନ୍ଦା ବଳଭଦ୍ର ଓ ସୁଭଦ୍ରାଙ୍କୁ, ସାମନ୍ତରା ସାହି ବାସିନ୍ଦା ଜଗନ୍ନାଥଙ୍କୁ ପହଣ୍ଡି କରାଇ ସ୍ନାନ ମଣ୍ଡପକୁ ଆଣିଥିଲେ। ସେଠାରେ ଚତୁର୍ଦ୍ଧାମୂର୍ତିଙ୍କୁ ପଇଡ଼, ନଡ଼ିଆ ପାଣି, ଗଙ୍ଗାଜଳରେ ସ୍ନାନ କରାଇଥିଲେ। ପରେ ଠାକୁରଙ୍କ ଗଜାନନ ବେଶ ହୋଇଥିଲା। ଠାକୁରଙ୍କ ଗଜାନନ ବେଶ ସହ ଦେବ ସ୍ନାନ ଦେଖିବାକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହାତରେ ନଡ଼ିଆ, କଦଳି ଧରି ପହଂଚିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ମୁତୟନ ହୋଇଥିଲେ। ଦେବୋତର ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଥିଲା। ଦେବସ୍ନାନ ସମୟରେ ଘଂଟ, ବାଜା, ହୁଳହୁଳି ସଂକିର୍ତନ ମଣ୍ଡଳୀଙ୍କ ଗୀତରେ ପରିବେଶ ମୁଖରିତ ହୋଇଉଠିଥିଲା। ରାତ୍ରରେ ଅଣସରେ ଗୃହକୁ ଯାତ୍ରା କରିବେ କାଲି ଠାରୁ ୩ ଠାକୁର ଜ୍ୱରରେ ପଡ଼ିବେ। ସେଠାରେ ୧୫ ଦିନ ଅଣସରେ ରହିବା ପରେ ନେତ୍ର ଉତ୍ସବ ଓ ନବଯୌବନ ବେଶରେ ଦର୍ଶନ ଦେଇ ଘୋଷଯାତ୍ରାରେ ବାହାରିବେ ଠାକୁର। ଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ଡମ୍ବୁରୁଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠୀ ସମସ୍ତ ନୀତିକାନ୍ତି ତୁଲାଇଥିଲେ। ସେହିପରି ପୁରୁଣାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ବାଟ ଜଗନ୍ନାଥପୁର ସ୍ଥିତ ଜଗନ୍ନାଥ ମନ୍ଦିର, ଆମ୍ବାଗୁଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ବାରିଣିପୁଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାଇ ଶ୍ରୀଜିଉଙ୍କୁ ଦେବସ୍ନାନ କରାଯାଇ ଥିବା ଜଣାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି