
ରାଉରକେଲା, ୨୯ ଜୁନ୍ (ହି.ସ.)- ରାଉରକେଲା ପୁଲିସ ଜିଲ୍ଲାରେ ଥିବା ଥାନା ଗୁଡିକରେ ଲୋକଙ୍କୁ ନ୍ୟାୟ ମିଳୁନାହିଁ, ଫଳରେ ପ୍ରତିଦିନ ଏସପି ଅଫିସ ରେ ଏଭଳି ଲୋକଙ୍କର ଭିଡ଼ ଜମୁଛି। ଆଜି ଏଭଳି ୩୦ରୁ ଅଧିକ ଲୋକ ବିଭିନ୍ନ ଥାନାରୁ ନ୍ୟାୟ ନପାଇ ଏସପି ଙ୍କୁ ଭେଟିଛନ୍ତି। ଏସପି ବିଭିନ୍ନ ଡ଼ିଏସପି ଙ୍କୁ ଏନେଇ ଦାୟିତ୍ୱ ଦେଇଥିବା ଖବର ମିଳିଛି।
ଖବରରୁ ଜଣାପଡିଛି, ଥାନା ଗୁଡିକୁ ବିଭିନ୍ନ ମାମଲା ନେଇ ଯାଉଥିବା ଲୋକଙ୍କ ଏତଲା ରଖାଯାଉନି, ଯଦିବି ଏତଲା ରଖାଯାଉଛି ସେଠି ଏତଲାକାରୀ ନ୍ୟାୟ ପାଉନି। ସେହିଭଳି ଥାନା ଗୁଡିକରେ ଅଫିସର ମାନେ ଲୋକଙ୍କୁ ଗାଳିଗୁଲଜ କରି ଫେରାଇ ଦେଉଛନ୍ତି। ଅପରାଧୀ ମାନଙ୍କୁ ସମର୍ଥନ କରି ଏତଲାକାରୀଙ୍କ ମୁହଁ ଚୁପ୍ କରି ଦିଆଯାଉଛି। ଶିକ୍ଷିତ ଲୋକେ ଏସପି ଅଫିସ ଯାଇ ନ୍ୟାୟ ପାଇବାକୁ ଚେଷ୍ଟା କରୁଛନ୍ତି। କିଛି ଜାଣିନଥିବା ଲୋକେ ଚୁପ୍ ହୋଇ ରହୁଛନ୍ତି। ଏଭଳି ଘଟଣା ପ୍ରାୟ ସବୁ ଥାନାରେ ଦେଖାଯାଉଛି। ଏସପି ଅଫିସରେ ଅନେକ ଅତିରିକ୍ତ ଏସପି, ଡ଼ିଏସପି ଅଛନ୍ତି କିନ୍ତୁ ଏମାନେ ମଧ୍ୟ ନିୟମିତ ଥାନା ଗୁଡିକୁ ଯାଉନାହାନ୍ତି। ଏସପି ଅକାଳେ ସକାଳେ ଯିବା କଥାରେ ରହିଛି। ଫଳରେ ଥାନା ଗୁଡ଼ିକରେ ମେରୀ ରାୟ ଶାସନ ଚାଲିଛି। ଏହିଭଳି ଏକ ମାମଲାରେ ଆଜି ଛେଣ୍ଡ ଥାନା ବିରୋଧରେ, ଥାନା ଅଧିକାରୀ ଗାଳିଦେବା, ଏତଲା ନରଖିବା ଇତ୍ୟାଦି ଘଟଣାରେ ଜୟନ୍ତୀ ଦାସ ନାମକ ମହିଳା ଏସପିଙ୍କୁ ଭେଟିଥିବା ଖବର ମିଳିଛି। ଏସପି ଏହାକୁ ଜଣେ ଅତିରିକ୍ତ ଏସପିଙ୍କୁ ତଦନ୍ତ ଲାଗି ଦେଇଛନ୍ତି। ସରକାର କହୁଛନ୍ତି ପୁଲିସ ଲୋକଙ୍କ ସେବାରେ, ଏପଟେ ପୁଲିସ ଅପରାଧୀ ମାନଙ୍କ ସହ ରହୁଛି। ଫଳରେ ସହରରେ ହତ୍ୟା, ଲୁଟ୍ ଭଳି ଅପରାଧ ବଢି ଚାଲିଛି। ରାଉରକେଲାରେ ଜଣେ ଏସପି ପୁଣି ପାଖରେ ଡିଆଇଜି କିନ୍ତୁ ଲୋକଙ୍କୁ ନ୍ୟାୟ ମିଳିବା ସମ୍ଭବ ହେଉନି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ