

ମାଲକାନଗିରି, ୨୯ ଜୁନ୍ (ହି.ସ.)- ପ୍ରାୟ ପାଞ୍ଚ ବର୍ଷ ତଳେ ମାଲକାନଗିରି ସହରରେ ଘଟିଥିବା ବହୁଚର୍ଚ୍ଚିତ ୭୦୦ ଗ୍ରାମ ସୁନା ଗହଣା ଲୁଟ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ତାମିଲନାଡୁର କନ୍ୟାକୁମାରୀରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ମଦାସୁ ଜନ ପଲ୍ ଓରଫ ଜଗଦିଶ ଏବଂ ଇନ୍ତୁରି ଓରୁଣା ଓରଫ ଅର୍ଚ୍ଚନା। ଉଭୟେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି। ୨୦୨୧ ମସିହାରେ ମାଲକାନଗିରି ସହରର ପ୍ରସାଦ ଜୁୟେଲର୍ସରର ମାଲିକ ସୁବାଷ ପାଟିଲଙ୍କୁ ପୂଜା ଭୋଗ କହି ନିଶା ମିଶ୍ରିତ ମିଠା ଖୁଆଇ ଅଭିଯୁକ୍ତମାନେ ପ୍ରାୟ ୭୦୦ ଗ୍ରାମ ସୁନା ଗହଣା ଲୁଟି ନେଇଥିଲେ। ଘଟଣା ପରେ ପୋଲିସ ଦୀର୍ଘ ସମୟ ଧରି ତଦନ୍ତ ଚଳାଇଥିଲା।
ଗୁପ୍ତ ସୂଚନା ଓ ବୈଷୟିକ ତଦନ୍ତ ଆଧାରରେ ପୋଲିସ କନ୍ୟାକୁମାରୀରେ ଚଢ଼ଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨୦୦ ଗ୍ରାମ ତରଳାଯାଇଥିବା ସୁନା, ଦୁଇଟି ପିସ୍ତଲ, ୯ଟି ଅଫୁଟା ଗୁଳି, ଦୁଇଟି ସୁନା ତରଳା ମେସିନ, ଗୋଟିଏ ଲାପଟପ୍ ଏବଂ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହି ଲୁଟ୍ ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ