
ଭୁବନେଶ୍ୱର, ୨୯ ଜୁନ୍ (ହି.ସ) - ଚଳିତ ବର୍ଷ ଖରିଫ୍ ଓ ରବିରେ ଧାନ କିଣାର ଅବ୍ୟବସ୍ଥା ଯୋଗୁଁ ଚାଷୀ ଅହେତୁକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ଡବଲ ଇଞ୍ଜନ ସରକାରର ଏପରି ନୀତିକୁ ଦୃଢ଼ ସମାଲୋଚନା କରିଛନ୍ତି। ସରକାର ପ୍ରତିଶ୍ରୁତି ମୁତାବକ ଚାଷୀର ସମସ୍ତ ବଳକା ଧାନ କିଣିବା ଉଚିତ୍। ରବିରେ ସରକାର ଜୁନ୍ ୩୦ ସୁଦ୍ଧା ୨୦ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। କିନ୍ତୁ ଅଦ୍ୟାବଧି ଲକ୍ଷ୍ୟଧାର୍ଯ୍ୟ ପୂରଣ ହେଲା ନାହିଁ। ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ଭିଜୁଛି। ଟୋକନ ଥାଇ ମଧ୍ୟ ଶହ ଶହ ଚାଷୀଙ୍କଠାରୁ ଧାନ କିଣାଗଲା ନାହିଁ କିମ୍ବା ମଣ୍ଡିରୁ ଧାନ ଉଠିଲା ନାହିଁ। ମିଲର ମନମାନୀରେ ଧାନ କିଣାଗଲା। ଚାଷୀ ନିର୍ଦ୍ଧାରିତ ଏମଏସପି ପାଇବା ତ ଦୂରର କଥା ପ୍ରତି କ୍ୱିଣ୍ଟାଲରେ ଚାଷୀଙ୍କଠାରୁ ବାଧ୍ୟତାମୂଳକ ଭାବେ ୫ରୁ ୧୦ କେଜି ପର୍ଯ୍ୟନ୍ତ କଟନି ଛଟନି କରାଗଲା। ଯେଉଁଠି ୫୦ କ୍ୱିଣ୍ଟାଲ କ୍ରୟ କରିବା ପାଇଁ ଟୋକନ ଦିଆଯାଇଛି ସେଠାରେ ମାତ୍ର ୧୦ କ୍ୱିଣ୍ଟାଲ କ୍ରୟ କରାଯାଇଛି। ସରାକର ଜାଣି ଅଜଣା। ପୂର୍ବବର୍ଷଗୁଡ଼ିକ ତୁଳନାରେ ଏହି ସରକାରରେ ଚାଷୀ ସବୁଠାରୁ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଅପର ପକ୍ଷରେ ସରକାରଙ୍କ ରବିଧାନ କ୍ରୟ ଲକ୍ଷ୍ୟଧାର୍ଯ୍ୟ ୨୦ ଲକ୍ଷ ମେଟ୍ରିକ୍ ଟନ୍ ପରେ ଏବେ ଚାଷୀଙ୍କ ପାଖରେ ଆହୁରି ପ୍ରାୟ୨୫ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ବଳକା ଧାନ ରହିଛି। ଜୁନ୍ ୩୦ରେ କଣ୍ଟ ପୁରିବ। ଏବେ ଚାଷୀ କରିବେ କଣ? ସରକାରଙ୍କୁ ଭରଷା କରି ଚାଷୀକୁଳ ଦୁଶ୍ଚିନ୍ତାରେ। ତେଣୁ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଖରେ ଥିବା ସବୁ ବଳକା ଧାନ କିଣିବା ପାଇଁ ଜୁନ୍ ୩୦ ତାରିଖ ପରିବର୍ତ୍ତେ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିବାକୁ ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା