ଝାରସୁଗୁଡାରେ ପାଳିତ ହେଲା ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ
20th statical day observed in Jharsuguda
Statical day observed


ଝାରସୁଗୁଡ଼ା, ୩୦ ଜୁନ୍ (ହି.ସ.)- ଝାରସୁଗୁଡା ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟ୍ ପକ୍ଷରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ଅଡିଟୋରିୟମରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସଙ୍କ ଜନ୍ମବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟ୍ ର ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଦୀପ୍ ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଉନ୍ନୟନମୂଳକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସଠିକ ଓ ନିର୍ଭରଯୋଗ୍ୟ ପରିସଂଖ୍ୟାନର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ସରକାରୀ ନୀତି ନିର୍ଦ୍ଧାରଣ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ତଥ୍ୟଭିତ୍ତିକ ନିଷ୍ପତ୍ତିର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ସମ୍ପାଦକ ସେବା ଏନଜିଓର ସୁଶୀଲ କୁମାର ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ କୁମାର ମହାରଣା ଓ ସହଯୋଗୀ ପ୍ରଫେସର ଶୁଭଲକ୍ଷ୍ମୀ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୀତିକୁ ସୁଦୃଢ଼ କରିବା, ସଠିକ ତଥ୍ୟ ସଂଗ୍ରହ ଓ ଜନସଚେତନତା ବୃଦ୍ଧିରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ନିଜ ମତାମତ ରଖିଥିଲେ। ଜାତୀୟ ପରିସଂଖ୍ୟାନ ଦିବସ ଉପଲକ୍ଷେ ଲକ୍ଷ୍ମୀ ନାରାୟଣ କଲେଜରେ ପ୍ରବନ୍ଧ, ବିତର୍କ ଓ କୁଇଜ୍କୁ ନେଇ ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାରେ ଏଲ୍.ଏନ୍. କଲେଜର ବନିତା ଭୋଇ ପ୍ରଥମ, ବ୍ରଜରାଜନଗର କଲେଜର ଜୟା ଭାରତୀ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମନନତା ମିତାଲି ବିଶ୍ୱାଳ ଯୁଗ୍ମ ଦ୍ୱିତୀୟ ଏବଂ ମହିଳା ମହାବିଦ୍ୟାଳୟର ଶ୍ରାବଣୀ ପସାୟତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିତର୍କ ପ୍ରତିଯୋଗିତାରେ ବ୍ରଜରାଜନଗର ମାଧ୍ୟମିକ ବିଦ୍ୟାଳୟର ଜାହ୍ନବୀ ପାତ୍ର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଝାରସୁଗୁଡା ମହିଳା କଲେଜର ସ୍ନେହା ଠାକୁର ଦ୍ୱିତୀୟ ଓ ସନ୍ଧ୍ୟା ସିଂହ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତା ପ୍ରତିଯୋଗୀମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ସମାଜ ଓ ରାଷ୍ଟ୍ର ଗଠନରେ ପରିସଂଖ୍ୟାନର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ନିଜ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ। ଶେଷରେ ଜିଲ୍ଲା ଯୋଜନା ଓ ମନିଟରିଂ ୟୁନିଟ୍ର ଏସ୍ଇଆଇ ଗୌରାଙ୍ଗ ଚରଣ ରାଉତ ସମାଜରେ ସଚେତନତା ସୃଷ୍ଟି ଏବଂ ଉନ୍ନୟନ ପ୍ରକ୍ରିୟାକୁ ଗତିଶୀଳ କରିବାରେ ପରିସଂଖ୍ୟାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରେ ସେ ଧନ୍ୟବାଦ ଅର୍ପଣ କରି ସଭାର ସମାପ୍ତି ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande