
କେନ୍ଦୁଝର, ୩୦ ଜୁନ୍(ହି.ସ.) – କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କର ସ୍ନାନ ପୂର୍ଣ୍ଣିମା ଅବସରରେ ସିଆଳି ଦଉଡ଼ି ତିଆରି କରିବା ପାଇଁ ବାଂଶପାଳ ବ୍ଲକ ଦଅଁଳା ଗାଁର ଭୂୟାଁ ସମ୍ପ୍ରଦାୟର ଲୋକେ ପହଂଚିଥିଲେ। ସେମାନଙ୍କ ହାତରେ ଥିଲା ସିଆଳି ଲତା। ଗାଁ ନିକଟ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ଏହି ସିଆଳି ଲତାରେ ଆସନ୍ତା ରଥଯାତ୍ରାରେ ନନ୍ଦିଘୋଷ ରଥରେ ଲାଗି ହେବାକୁ ଥିବା ସିଆଳି ଦଉଡ଼ି ବୁଣିବାକୁ ଆଜି ସେମାନେ ମନ୍ଦିରରେ ପହଂଚି ପ୍ରଭୁଙ୍କ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଭିକ୍ଷା କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ରଥ, କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନନ୍ଦିଘୋଷ ରଥରେ ଏହି ସିଆଳି ଦଉଡ଼ି ଲାଗିବାର ରହିଛି ବହୁ ପୁରାତନ ପରମ୍ପରା। ଯାହାକୁ ବାଂଶପାଳ ବ୍ଲକ ଦଅଁଳା ଗାଁର ଏହି ଭୂୟାଁ ସମ୍ପ୍ରଦାୟର ଲୋକେ ଅତି ନିଷ୍ଠାର ସହିତ ତିଆରି କରିଥାନ୍ତି। ଅକ୍ଷୟ ତୃତୀୟାରୁ ଜଙ୍ଗଲରୁ ସଂଗୃହୀତ ଏହି ସିଆଳି ଲତାରେ ସିଆଳି ଦଉଡ଼ି ବୁଣି, ନନ୍ଦିଘୋଷ ରଥରେ ଲାଗିବା ପାଇଁ ଅର୍ପଣ କରିଥାନ୍ତି ଭୂୟାଁ ଜନଜାତିର ଲୋକେ। କେନ୍ଦୁଝର ରଥଯାତ୍ରାରେ ଏହା ଏକ ବିରଳ ପରମ୍ପରା ଭାବେ କାହିଁ କେତେ କାଳରୁ ରହି ଆସିଛି। ପ୍ରଭୁଙ୍କ ରଥଯାତ୍ରାରେ ସିଆଳି ଦଉଡ଼ି ତିଆରି କରୁଥିବା କାରଣରୁ ନିଜକୁ ଧନ୍ୟ ମନେ କରିଛନ୍ତି ଲୋକେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA