
ସମ୍ବଲପୁର, ୩୦, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବରମୁଣ୍ଡାଲୋଇ ସ୍ଥିତ ସରକାରୀ ଏସ୍ଏସଟି ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ପଲ୍ଲୀ ଭାରତୀ ଲୋକ ବ୍ଲକ ପକ୍ଷରୁ ବ୍ଲକ ସ୍ତରୀୟ ନିଶା ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁକଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସମ୍ବଲପୁର ଜିଲ୍ଲା ନିଶା ନିବାରଣ ଅଭିଯାନର ସଭାପତି ତଥା ଶିକ୍ଷାବିତ ସୁବାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁଚିଣ୍ଡା ଶାଖା ସଭାପତି କରୁଣାକର କିସାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଶା ସେବନର କୁପ୍ରଭାବ ଏବଂ ଏହାର ସାମାଜିକ ଓ ପାରିବାରିକ କୁପରିଣାମ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରିଥିଲେ। ଶେଷରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରିବାକୁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ନିଶାମୁକ୍ତ ସମାଜ ଗଠନର ବାର୍ତା ପ୍ରଦାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ