ଅବ୍ୟବସ୍ଥା ଘେରରେ ଚମ୍ପୁଆ ବସ ଷ୍ଟାଣ୍ଡ: ମୁଖ୍ୟ ଫାଟକରେ ଯାତ୍ରୀଙ୍କ ପାଦ ଧୋଉଛି ଡ୍ରେନ ପାଣି, ନିରବ ଦ୍ରଷ୍ଟା ଏନଏସି କର୍ତ୍ତୃପକ୍ଷ
ଚମ୍ପୁଆ, ୩୦ ଜୁନ୍ (ହି.ସ.)- ବିକାଶର ଡିଣ୍ଡିମ ପିଟୁଥିବା ଚମ୍ପୁଆ ଏନଏସି ପ୍ରଶାସନର ଅସଲ ଚେହେରା ଚମ୍ପୁଆ ବସ୍ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି। ବସ ଷ୍ଟାଣ୍ଡ ନିର୍ମାଣ ହେବା ଦିନ ଠାରୁ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ଦୁଇ ଦୁଇଟି ଏଣ୍ଟ୍ରି ଗେଟ୍ ବା ମୁଖ୍ୟ ଫାଟକର ସ୍ଥିତି ସୁଧୁରି ପାରିନାହିଁ
ବସ ଷ୍ଟାଣ୍ଡ ମୁଖ୍ୟ ଫାଟକରେ ପାଣି


ଚମ୍ପୁଆ, ୩୦ ଜୁନ୍ (ହି.ସ.)- ବିକାଶର ଡିଣ୍ଡିମ ପିଟୁଥିବା ଚମ୍ପୁଆ ଏନଏସି ପ୍ରଶାସନର ଅସଲ ଚେହେରା ଚମ୍ପୁଆ ବସ୍ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି। ବସ ଷ୍ଟାଣ୍ଡ ନିର୍ମାଣ ହେବା ଦିନ ଠାରୁ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ଦୁଇ ଦୁଇଟି ଏଣ୍ଟ୍ରି ଗେଟ୍ ବା ମୁଖ୍ୟ ଫାଟକର ସ୍ଥିତି ସୁଧୁରି ପାରିନାହିଁ। ଫଳରେ ସାଧାରଣ ଯାତ୍ରୀମାନେ ଚରମ ହନ୍ତସନ୍ତ ହେଉଛନ୍ତି। ବସ୍ ଷ୍ଟାଣ୍ଡର ମୁଖ୍ୟ ଫାଟକ ଦୁଇଟିରେ ବର୍ଷ ତମାମ ଡ୍ରେନର ଦୁର୍ଗନ୍ଧଯୁକ୍ତ ପାଣି ଜମି ରହୁଛି। ବସକୁ ଯିବା ଆସିବା କରିବା ସମୟରେ ଯାତ୍ରୀମାନଙ୍କ ପାଦ ଏହି ଅପରିଷ୍କାର ପାଣିରେ ବୁଡ଼ି ରହୁଛି। ସ୍ଥାନୀୟ ଲୋକେ କ୍ଷୋଭର ସହ କହିଛନ୍ତି ଯେ, ଯାତ୍ରୀଙ୍କ ସ୍ଵାଗତ ପାଇଁ ନୁହେଁ, ବରଂ ସେମାନଙ୍କ ପାଦ ଧୋଇବା ପାଇଁ ଏଠାରେ ଡ୍ରେନ ପାଣି ସଦାସର୍ବଦା ପ୍ରସ୍ତୁତ ହୋଇ ରହିଛି। ଏହି ସମ୍ବେଦନଶୀଳ ସମସ୍ୟା ପ୍ରତି ଚମ୍ପୁଆ ଏନଏସି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ବର୍ଷ ବର୍ଷ ଧରି ସାଧାରଣ ଜନତା ଏବଂ ବ୍ୟବସାୟୀମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟ ଫାଟକରେ ଦୂଷିତ ପାଣି ଜମି ରହିବା ଯୋଗୁଁ ସେଠାରେ ପ୍ରବଳ ଦୁର୍ଗନ୍ଧ ହେବା ସହ ମଶା, ମାଛି ବଂଶବୃଦ୍ଧି ପାଉଛନ୍ତି। ଏହାଦ୍ଵାରା ଯାତ୍ରୀ ଏବଂ ଆଖପାଖ ଦୋକାନୀମାନଙ୍କ ମଧ୍ୟରେ ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande