ବିପଦସଙ୍କୁଳ ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କୋଠା
District Gram panchayat office in bad condition
District panchayat office


ଝାରସୁଗୁଡା, ୩୦ ଜୁନ୍ (ହି.ସ.)- ଝାରସୁଗୁଡା ଜିଲ୍ଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଅବସ୍ଥା ଦିନକୁ ଦିନ ବେହାଲ ହେବାରେ ଲାଗିଛି। ଦୀର୍ଘଦିନ ଧରି ମରାମତି ଅଭାବରୁ କାର୍ଯ୍ୟାଳୟ ଭବନଟି ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ଛାତ ଫାଟି ପାଣି ଗଳୁଛି। ଏହାସହ ସମୟେ ସମୟେ ଛାତରୁ ସିମେଣ୍ଟ କଂକ୍ରିଟ ଖସିପଡ଼ୁଥିବାରୁ କର୍ମଚାରୀଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି। ବର୍ଷା ଋତୁ ଆସୁଥିବାରୁ କାର୍ଯ୍ୟାଳୟରେ ସଂରକ୍ଷିତ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍, ନଥିପତ୍ର ଓ ରେକର୍ଡ ବର୍ଷା ପାଣିରେ ଭିଜି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଏହି ପରିସ୍ଥିତି ଯୋଗୁଁ କାର୍ଯ୍ୟାଳୟର କାର୍ଯ୍ୟପରିଚାଳନା ମଧ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକ ଓ କର୍ମଚାରୀଙ୍କ କହିବା ଅନୁଯାୟୀ, ଗତ ୧୦ ବର୍ଷରୁ ଅଧିକ ସମୟ ଧରି ଏହି ସରକାରୀ ଭବନର କୌଣସି ବଡ଼ ଧରଣର ମରାମତି କାର୍ଯ୍ୟ କରାଯାଇନାହିଁ। ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ।

ଏନେଇ ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀ ଚିନ୍ମୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ କାର୍ଯ୍ୟାଳୟରେ ଉପସ୍ଥିତ ନଥିବାରୁ ସମ୍ଭବପର ହୋଇନଥିଲା। ବର୍ଷା ଆହୁରି ଜୋର ଧରିବା ପୂର୍ବରୁ କାର୍ଯ୍ୟାଳୟ ଭବନର ମରାମତି ସମ୍ପୂର୍ଣ୍ଣ କରିବା ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ ନଥିପତ୍ରର ସୁରକ୍ଷା ନିଶ୍ଚିତ କରିବାକୁ ସ୍ଥାନୀୟ ବାସିନ୍ଦା ଓ କର୍ମଚାରୀମାନେ ଦୃଢ଼ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande