
ନୂଆପଡ଼ା, ୩୦ ଜୁନ (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା(ଡୁଡା)ର ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିର ବିଭିନ୍ନ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା। ଏନଏସିଗୁଡ଼ିକର ଆର୍ôଥକ ସ୍ଥିତି, ବିଭିନ୍ନ ଅନୁଦାନର ବ୍ୟବହାର, ୟୁସି ଦାଖଲ, ରାଜସ୍ୱ ସଂଗ୍ରହ, ଘନ ବର୍ଜ୍ୟ ପରିଚାଳନା, ସ୍ୱଚ୍ଛ ଭାରତ ମିଶନ, ପିଏମ୍ଏୱାଇ, ପିଏମ୍ଏୱାଇ ୨.୦, ସହଯୋଗ, ମୋ ପୋଖରୀ, ମଲ୍ଟିପର୍ପୋଜ ହଲ୍ ଓ ପିଏମ୍ ସ୍ୱନିଧି ଯୋଜନାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ସମୀକ୍ଷାରେ ଜଣାପଡ଼ିଥିଲା ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ)ରେ ନୂଆପଡ଼ା ଏନ୍ଏସିରେ ୧୬୩୨ଟି, ଖଡ଼ିଆଳ ଏନ୍ଏସିରେ ୩୨୧୭ଟି ଓ ଖରିଆର ରୋଡ୍ ଏନ୍ଏସିରେ ୧୨୩୪ଟି ଘର ସମ୍ପୂର୍ଣ୍ଣ ହୋଇଛି। ବର୍ଜ୍ୟ ପରିଚାଳନା ଅଧୀନରେ ନୂଆପଡ଼ା ଏନ୍ଏସିର ୧୪ଟି, ଖଡ଼ିଆଳର ୧୩ଟି ଓ ଖରିଆର ରୋଡର ୧୯ଟି ୱାର୍ଡରେ ଘରକୁ ଘର ବର୍ଜ୍ୟ ସଂଗ୍ରହ ଓ ପୃଥକୀକରଣ କାର୍ଯ୍ୟ ଚାଲିଛି। ଜିଲ୍ଲାପାଳ ରାଜସ୍ୱ ସଂଗ୍ରହ ବୃଦ୍ଧି, ଯୋଜନାଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଓ ଜନସେବାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକ ଅବସରରେ ଉତମ ଟ୍ୟାକ୍ସ ସଂଗ୍ରହ କରିଥିବା ତିନି ଜଣ ଟ୍ୟାକ୍ସ ସଂଗ୍ରାହକଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ।
ବୈଠକରେ ନୂଆପଡ଼ା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସମେତ ଡୁଡା କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ