ବନ୍ଧୁର ଶୁଦ୍ଧିକର୍ମ ପାଇଁ ସହାୟତା କଲେ ଦରଦୀ ବନ୍ଧୁ
କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- ବିପଦ ସମୟରେ ଯେଉଁ ବନ୍ଧୁ ସାଥୀରେ ଛିଡ଼ା ହୁଏ, ସେହି ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ରାଉଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଯୁବ ସମାଜସେବୀ ସ୍ୱର୍ଗତ ରାଜକିଶୋର ଦାସ ଦ
ବନ୍ଧୁର ଶୁଦ୍ଧିକର୍ମ ପାଇଁ ସହାୟତା କଲେ ଦରଦୀ ବନ୍ଧୁ


କେନ୍ଦ୍ରାପଡା, ୩୦ ଜୁନ୍ (ହି.ସ.)- ବିପଦ ସମୟରେ ଯେଉଁ ବନ୍ଧୁ ସାଥୀରେ ଛିଡ଼ା ହୁଏ, ସେହି ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ରାଉଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଯୁବ ସମାଜସେବୀ ସ୍ୱର୍ଗତ ରାଜକିଶୋର ଦାସ ଦୀର୍ଘ ଦୁଇ ମାସ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଅସୁସ୍ଥତା ସମ୍ପର୍କରେ ଜାଣିବା ପରେ ତାଙ୍କ ସହପାଠୀ ତଥା ବିଶିଷ୍ଟ ସମାଜସେବୀ ରାଧାନାଥ (ବବି) ରାୟଙ୍କ ତତ୍ତ୍ୱାବଧାନରେ ଆଳି ମହାବିଦ୍ୟାଳୟର ୧୯୯୫ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ନିଜସ୍ୱ ପାଣ୍ଠିରୁ ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେବେ ଭାଗ୍ୟର ବିଡ଼ମ୍ବନାବଶତଃ ପ୍ରାୟ ୧୦ ଦିନ ପୂର୍ବେ ରାଜକିଶୋରଙ୍କ ପରଲୋକ ଘଟିଥିଲା। ତାଙ୍କ ବିୟୋଗ ପରେ ପରିବାର ଆର୍ଥିକ ଓ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ବେଳେ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଥିଲେ ତାଙ୍କ ବନ୍ଧୁମାନେ। ରାଧାନାଥ (ବବି) ରାୟ ନିଜସ୍ୱ ପାଣ୍ଠିରୁ ରାଜକିଶୋରଙ୍କ ଶୁଦ୍ଧିକର୍ମ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ରାଧାନାଥ ରାୟ ସ୍ୱର୍ଗତ ରାଜକିଶୋରଙ୍କ ସ୍ମୃତିଚାରଣ କରିବା ସହ ବନ୍ଧୁତ୍ୱର ମହତ୍ତ୍ୱ ଓ ବିପଦ ସମୟରେ ପରସ୍ପରକୁ ସହଯୋଗ କରିବାର ବାର୍ତ୍ତା ସମାଜକୁ ଦେଇଥିଲେ।

ସ୍ମୃତିସଭାରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ଅଭିରାମ ବିଶ୍ୱାଳ, ଜିତେନ୍ଦ୍ର ଦାସ, ନାରୀନେତ୍ରୀ ତରୁଲତା ତ୍ରିପାଠୀ, ସମାଜସେବୀ ମମତା ସ୍ୱାଇଁ, ବିଜୟ ସେନାପତି, ପ୍ରିୟା ମହାନ୍ତି, ପ୍ରତ୍ୟୁଷ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଜକିଶୋରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଭବିଷ୍ୟତରେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande