ବ୍ରଜରାଜନଗରରେ ୩.୩୨୦ କେଜି ଗଞ୍ଜେଇ ଜବତ : ଜଣେ ମାଦକ ବ୍ୟବସାୟୀ ଗିରଫ
Ganja with one arrested
Arrested


ଝାରସୁଗୁଡ଼ା, ୩୦ ଜୁନ୍ (ହି.ସ.)- ମାଦକ ଦ୍ରବ୍ୟ କାରବାର ବିରୋଧରେ ବ୍ରଜରାଜନଗର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ରବିବାର ରାମପୁର ଫାଣ୍ଡି ଅଧୀନ ରାମପୁର କୋଲିୟାରୀ ଛକ ନମ୍ବର–୫ ନିକଟରେ ନିୟମିତ ଗାଡ଼ି ଯାଞ୍ଚ ବେଳେ ପୋଲିସ ୩ କେଜି ୩୨୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ମାଦକ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପବନ ପ୍ରଧାନ (୫୧)। ସେ ଏକ ହିରୋ ସ୍ପ୍ଲେଣ୍ଡର ମୋଟରସାଇକେଲ ନମ୍ବର (ଓଡି–୨୩–ସି–୩୩୪୪) ଯୋଗେ ଗଞ୍ଜେଇ ପରିବହନ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ।

ଉପ-ନିରୀକ୍ଷକ (ଏସ୍ଆଇ) ସୁଦର୍ଶନ ବେହେରାଙ୍କ ନେତୃତ୍ୱରେ ପୋଲିସ ଦଳ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଏନ୍ଡିପିଏସ୍ ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଆଇନଗତ ପ୍ରକ୍ରିୟା, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ତଲାସୀ କରାଯାଇଥିଲା।

ଚଢ଼ଉ ସମୟରେ ପୋଲିସ ୩.୩୨୦ କେଜି ଗଞ୍ଜେଇ, ଏକ ହିରୋ ସ୍ପ୍ଲେଣ୍ଡର ମୋଟରସାଇକେଲ, ଏକ ରିଅଲମି ମୋବାଇଲ ଫୋନ, ୪୫୦ ଟଙ୍କା ନଗଦ, ଗଞ୍ଜେଇ ପ୍ୟାକିଂ ସାମଗ୍ରୀ ସମେତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜେଇର ଉତ୍ସ ଓ ଏହା ସହ ଜଡ଼ିତ ଚୋରା ଚାଲାଣ ନେଟୱାର୍କର ଖୋଜ ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଝାରସୁଗୁଡ଼ା ପୋଲିସ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କଠୋର ପଦକ୍ଷେପ ଓ ଗୁଇନ୍ଦା ଭିତ୍ତିକ ଅଭିଯାନ ଜାରି ରଖିବ ବୋଲି କହିଛି। ଏଥିସହ ସାଧାରଣ ଲୋକଙ୍କୁ ମାଦକ କାରବାର ସମ୍ପର୍କିତ ସୂଚନା ପୋଲିସକୁ ଯୋଗାଇବାକୁ ଆହ୍ୱାନ କରିଛି। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande